ନୂତନ ସଂସଦ ଗୃହରେ ପ୍ରତିଷ୍ଠା ହେବ ଐତିହାସିକ ‘ସେଙ୍ଗୋଲ’ ଜାଣନ୍ତୁ ଏହା କ’ଣ ?

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତର ନୂତନ ସଂସଦର ଉଦ୍ଘାଟନ ଆସନ୍ତା ୨୮ ତାରିଖରେ ହେବ। ଯଦିଓ ଏହି ଭବ୍ୟ କୋଠାକୁ ରାଷ୍ଟ୍ରପତି ଉଦ୍ଘାଟନ କରନ୍ତୁ ବୋଲି ଦାବି କରି ଦେଶର ୨୦ଟି ବିରୋଧୀଦଳ ଏହି ଉଦ୍ଘାଟନୀ ସମାରୋହକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ଓ ଲୋକସଭା ସଚିବାଳୟ ତାଙ୍କ ପୂର୍ବ ନିଷ୍ପତ୍ତି ଅନୁସାରେ ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି। ଏହି ଅନୁସାରେ ପ୍ରଧାନମନ୍ତ୍ରୀ ତଥା ଲୋକସଭାର ନେତା ନରେନ୍ଦ୍ର ମୋଦୀ ଏହି ନୂତନ କୋଠାକୁ ଉଦ୍ଘାଟନ କରିବେ। ଏହି ଉତ୍ସବକୁ ସ୍ମରଣୀୟ କରିବା ଲାଗି ଅନେକ ଆୟୋଜନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସୂଚନା ଅନୁସାରେ ଗଣତନ୍ତ୍ରର ଏହି ସର୍ବୋଚ୍ଚ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ କ୍ଷମତା ହସ୍ତାନ୍ତରଣର ପ୍ରତୀକ ରାଜଦଣ୍ଡ ‘ସେଙ୍ଗୋଲ୍’ ସ୍ଥାପନା କରିବେ ବୋଲି ସୂଚନା ଦେଇଛନ୍ତି।  ଶାହା କହିଛନ୍ତି, ‘ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଭାରତର ଅଧିକାଂଶ ଲୋକ ଏହି ଘଟଣା ବିଷୟରେ ଅବଗତ ନୁହଁନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ସେଙ୍ଗୋଲକୁ ପ୍ରଦାନ କରି ଭାରତର କ୍ଷମତା ହସ୍ତାନ୍ତର ହୋଇଥିଲା। ଅଗଷ୍ଟ ୧୪, ୧୯୪୭ର ମଧ୍ୟରାତ୍ରରେ ଏହା ଏକ ସ୍ୱତନ୍ତ୍ର ଉତ୍ସବ ଥିଲା, ଯେଉଁଠାରେ ଭାରତର ସ୍ୱାଧୀନତାକୁ ପାଳନ କରା ଯାଉଥିଲା। ଏହି ରାତିରେ ଜବାହରଲାଲ ନେହରୁ ତାମିଲନାଡୁର ଥିରୁବଦୁୁଥୁରାଇ ଆଧୀନାମ (ମଠ)ରୁ ବିଶେଷ ରୂପରେ ଉପସ୍ଥିତ ଆଧୀନାମ (ପୁରୋହିତ)ଙ୍କ ଠାରୁ ‘ସେଙ୍ଗୋଲ’ ଗ୍ରହଣ କରିଥିଲେ, ଯେଉଁମାନେ ଏହି ଉତ୍ସବ ପାଇଁ ସ୍ୱତନ୍ତ୍ର ଭାବେ ପହଞ୍ଚିଥିଲେ। ବ୍ରିଟିଶମାନେ ଭାରତୀୟଙ୍କ ହାତରେ ଯେଉଁ ସମୟରେ କ୍ଷମତା ହସ୍ତାନ୍ତର କରିଥିଲେ ଠିକ୍ ସେହି ମୁହୂର୍ତ୍ତରେ ପଣ୍ଡିତ ନେହରୁଙ୍କୁ ସେଙ୍ଗୋଲ ପ୍ରଦାନ କରା ଯାଇଥିଲା। ଆମେ ସ୍ୱାଧୀନତା ଭାବରେ ଯାହା ପାଳନ କରୁଛୁ, ତାହା ପ୍ରକୃତରେ ‘ସେଙ୍ଗୋଲ୍’ ହସ୍ତାନ୍ତର କରିବାର କ୍ଷଣ ଦ୍ୱାରା ଚିହ୍ନିତ ।’

ପ୍ରଧାନମନ୍ତ୍ରୀ ମୋଦୀ ସେଙ୍ଗୋଲକୁ ଅମୃତ କାଳର ଜାତୀୟ ପ୍ରତୀକ ଭାବରେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂସଦର ନୂତନ ଭବନ ମଧ୍ୟ ସମାନ ଘଟଣାର ସାକ୍ଷୀ ରହିବ, ଯେଉଁଠାରେ ଆଧୀନାମ ମାନେ (ପୁରୋହିତ) ସେହି ସମାରୋହର ପୁନରାବୃତ୍ତି କରିବେ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ୍ ପ୍ରଦାନ କରିବେ। କେନ୍ଦ୍ର ଗୃହ ମନ୍ତ୍ରୀ ସେଙ୍ଗୋଲ ଉପରେ ଅଧିକ ବର୍ଣ୍ଣନା କରି କହିଛନ୍ତି, ‘ସେଙ୍ଗୋଲର ଅର୍ଥ ବହୁତ ଗଭୀର ଅଟେ, ଯାହା ତାମିଲ ଶବ୍ଦ “ସେମାଇ”ରୁ ସୃଷ୍ଟି ହୋଇଛି। ଯାହାର ଅର୍ଥ “ନୀତିପରାୟଣତା” । ତାମିଲନାଡୁର ଏକ ଅଗ୍ରଣୀ ଧର୍ମ ମଠର ଆଧୀନାମ (ପୁରୋହିତ)ମାନଙ୍କ ଦ୍ୱାରା ଏହା ଆଶୀର୍ବାଦ ପ୍ରାପ୍ତ ହୋଇଛି। ଏହାର ଶୀର୍ଷ ଦେଶରେ ହାତରେ ଖୋଦେଇ ହୋଇଥିବା ନନ୍ଦୀ ‘ନ୍ୟାୟ’ର ଦର୍ଶକ ଭାବରେ ଅପଲକ ନୟନରେ ଚାହିଁ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଙ୍ଗୋଲର ପ୍ରାପ୍ତକର୍ତ୍ତାଙ୍କୁ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନ କରିବାକୁ “ଆଦେଶ” (ତାମିଲରେ “ଅନାଇ”) ରହିଛି। ଏହା ସବୁଠାରୁ ଆକର୍ଷକ ଅଟେ, ଯେଉଁମାନେ ଲୋକଙ୍କର ସେବା କରିବାକୁ ମନୋନୀତ ହୋଇଛନ୍ତି ସେମାନେ ଏହାକୁ କେବେ ବି ଭୁଲିବା ଉଚିତ୍ ନୁହେଁ ।’ ୧୯୪୭ର ସେହି ସେଙ୍ଗୋଲକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନର ଲୋକସଭାରେ ସ୍ଥାପନ କରାଯିବ, ଯାହା ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ଅବସ୍ଥିତ। ଏହାକୁ ସମଗ୍ର ରାଷ୍ଟ ଦେଖିବା ପାଇଁ ପ୍ରଦର୍ଶିତ କରାଯିବ ଏବଂ ବିଶେଷ ଉତ୍ସବରେ ଏହାକୁ ବାହାରକୁ ନିଆଯିବ। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଐତିହାସିକ “ସେଙ୍ଗୋଲ” ସ୍ଥାପନ ପାଇଁ ସଂସଦ ଭବନ ହେଉଛି ସବୁଠାରୁ ଉପଯୁକ୍ତ ଏବଂ ପବିତ୍ର ସ୍ଥାନ । “ସେଙ୍ଗୋଲ” ର ପ୍ରତିଷ୍ଠା, ୧୫ ଅଗଷ୍ଟ ୧୯୪୭ ର ଭାବନାକୁ ଅବିସ୍ମରଣୀୟ କରିଥାଏ। ଏହା ସୀମାହୀନ ଆଶା, ସୀମାହୀନ ସମ୍ଭାବନା ଏବଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପର ପ୍ରତୀକ ଅଟେ। ଏହା ଅମୃତ କାଳର ପ୍ରତିବିମ୍ବ ହେବ, ଯାହା ନୂତନ ଭାରତକୁ ବିଶ୍ୱରେ ନିଜର ଯଥୋଚିତ ସ୍ଥାନ ଗ୍ରହଣ କରିବାର ଗୌରବମୟ କ୍ଷଣର ସାକ୍ଷୀ ହେବ।

ତାମିଲନାଡୁ ସରକାର ୨୦୨୧ – ୨୨ ର ହିନ୍ଦୁ ଧାର୍ମିକ ଏବଂ ଧର୍ମାର୍ଥ ବନ୍ଦୋବସ୍ତ ବିଭାଗ (ଏଚ୍ଆର୍ ଆଣ୍ଡ ସିଇ) ପଲିସି ନୋଟରେ ରାଜ୍ୟର ମଠ ମାନଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଭୂମିକାକୁ ଗର୍ବର ସହିତ ପ୍ରକାଶ କରିଛନ୍ତି । ଏହି ଦସ୍ତାବିଜର ପାରା ୨୪ ସ୍ପଷ୍ଟ ଭାବରେ ରୟାଲ୍ କାଉନ୍ସିଲ୍ ଭାବରେ ମଠ ଦ୍ୱାରା ନିର୍ବାହ କରାଯାଉଥିବା ଭୂମିକାକୁ ସ୍ପଷ୍ଟ ଭାବରେ ଦର୍ଶାଏ। ଏହି ଐତିହାସିକ ଯୋଜନା ଆଧୀନାମର ଅଧ୍ୟକ୍ଷ ମାନଙ୍କ ସହିତ ବିଚାର ବିମର୍ଶ କରି ପ୍ରସ୍ତୁତ ହୋଇଛି । ଏହି ପବିତ୍ର ରୀତିନୀତିର ସ୍ମରଣରେ ସେମାନଙ୍କର ଆଶୀର୍ବାଦ ପ୍ରଦାନ କରିବା ପାଇଁ ସମସ୍ତ ୨୦ ଟି ଆଧୀନାମର ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ଖୁସି ଯେ ଏହାର ନିର୍ମାଣ ସହିତ ଜଡିତ ୯୬ ବର୍ଷୀୟ ୱିମ୍ମିଦିି ବଙ୍ଗାରୁ ଚେଟ୍ଟି ଜୀ ମଧ୍ୟ ଏହି ପବିତ୍ର ସମାରୋହରେ ଅଂଶଗ୍ରହଣ କରିବେ। ସେଙ୍ଗୋଲ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ଏବଂ ଡାଉନଲୋଡ୍ କରିବା ଯୋଗ୍ୟ ଭିଡିଓ ସହିତ ଏକ ସ୍ୱତନ୍ତ୍ର ୱେବସାଇଟ୍ (sengol1947.ignca.gov.in) ଆଜି ଏହି କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।

Leave A Reply

Your email address will not be published.