ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମାଙ୍କ ନାମରେ ଚାଲାଣ କଟାଯିବା ପରେ ମୁମ୍ବାଇ ପୁଲିସ ଏହି ବାର୍ତ୍ତା ଦେଇଛି । ବାସ୍ତବରେ କିଛିଦିନ ତଳେ ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ପଛପଟେ ବସିଥିଲେ ଅମିତାଭ ଓ ଅନୁଷ୍କା । ଏନେଇ ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ହେଲମେଟ ନ ପିନ୍ଧି ଦୁଇ ଚକିଆ ଯାନ ଚଲାଇବା ବା ବାଇକ ପଛପଟେ ବସିବା ମୋଟର ଯାନ ଅଧିନିୟମ ଅନୁଯାୟୀ ଅପରାଧ ହୋଇଥାଏ । ଆଉ ସୋସିଆଲ ମିଡିଆରେ ଏମାନଙ୍କର ଫଟୋ ଭାଇରାଲ ହେବା ପରେ ୟୁଜର୍ସମାନେ ପ୍ରଶ୍ନ କରିଥିଲେ ଯେ ସେଲିବ୍ରିଟିମାନେ ଆଇନଠାରୁ ଉର୍ଦ୍ଧ୍ବରେ କି? ତେବେ ମୁମ୍ବାଇ ପୁଲିସ ବୁଧବାର ଘୋଷଣା କରିଛି ଯେ ଉଭୟଙ୍କ ନାମରେ ଚାଲାଣ କଟାଯାଇଛି ।
ଉଭୟ ଅମିତାଭ ଏବଂ ଅନୁଷ୍କାଙ୍କ ନାମରେ ଚାଲାଣ କଟାଯାଇଛି । ମୁମ୍ବାଇ ଟ୍ରାଫିକ ପୁଲିସ ମଧ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅଭିନେତା, ଅଭିନେତ୍ରୀଙ୍କୁ ଦିଆଯାଇଥିବା ଚାଲାଣର କପି ସେୟାର କରିଛି। ସେହିପରି ଯାହାଙ୍କ ବାଇକ ପଛପଟେ ବସି ଅନୁଷ୍କା ଯାଉଥିଲେ ତାଙ୍କ ନାମରେ ୧୦,୫୦୦ ଟଙ୍କାର ଜରିମାନା ରସିଦ କଟାଯାଇଛି । ମୁମ୍ବାଇ ପୁଲିସ କହିଛି ଯେ ମୋଟର ଯାନ ଅଧିନିୟମର ଧାରା ୧୨୯/୧୯୪ (D), ଧାରା ୫/୧୮୦ ଏବଂ ଧାରା ୩ (୧) ୧୮୧ ଅନୁଯାୟୀ ଚାଲାଣ କଟାଯାଇଛି ।