ଯାତ୍ରା ସମୟରେ ବହୁତ ଜୋରରେ ଥରିଲା ବିମାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ୭୭୭-୩୦୦ଇଆରକୁ ଏୟାର ଟର୍ବୁଲାନ୍ସର ସାମ୍ନା କରିବାକୁ ପଡିଛି । ଏହି ଏୟାର ଟର୍ବୁଲାନ୍ସ ଯୋଗୁଁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏହାପରେ ବିମାନଟିକୁ ବ୍ୟାଙ୍କକରେ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା।

ବିବିସି ରିପୋର୍ଟ ଅନୁଯାୟୀ, ବିମାନରେ ୨୧୧ ଜଣ ଯାତ୍ରୀ ଓ ୧୮ ଜଣ କ୍ରୁ ମେମ୍ବର ଥିଲେ। ବିମାନଟି ବ୍ୟାଙ୍କକରେ ଅବତରଣ କରିବା ପରେ ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସିଙ୍ଗାପୁର ଏୟାରଲାଇନର ବୋଇଂ ୭୭୭-୩୦୦ଇଆର୍ ବିମାନ ମଙ୍ଗଳବାର ଲଣ୍ଡନରୁ ଉଡାଣ ଭରିଥିଲା । ସନ୍ଧ୍ୟା ୬ଟା ୧୦ ମିନିଟ୍ ସମୟରେ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ଏହା ଅବତରଣ କରିଥାନ୍ତା । କିନ୍ତୁ ଯାତ୍ରା ସମୟରେ ଏହା ବହୁତ ଜୋରରେ ହଲିବାକୁ ଲାଗିଥିଲା । ଏହାକୁ ୩ଟା ୪୫ ମିନିଟ୍ ସମୟରେ ଜରୁରିକାଳୀନ ଅବତରଣ କରାଯାଇଥିଲା ।

ସେତେବେଳକୁ ଜଣେ ଯାତ୍ରୀ ପ୍ରାଣ ହରାଇସାରିଥିଲେ । ଏହା ପରେ ଅନ୍ୟ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯାଇଥିଲା । ଏହି ଘଟଣା ସଂପର୍କରେ ସିଂଗାପୁର ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଆହତ ଯାତ୍ରୀମାନଙ୍କ ଯଥା ସମ୍ଭବ ସହାୟତା ପ୍ରଦାନ କରାଯାଉଛି । ଆବଶ୍ୟକପଡ଼ିଲେ ଏକ କମ୍ପାନିର ଏକ ଟିମ ବ୍ୟାଙ୍କକ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କମ୍ପାନି କହିଛି ।

Comments are closed.