ଭୋଟ ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱର ଲୋକସଭା ଆସନକୁ ଜିଣିବା ପାଇଁ ବିଜେଡିର ସବୁ ରଣକୌଶଳ ଫେଲ୍ ମାରିବା ପରେ ଦଳ ଏବେ ନିଜର ଶେଷ ଅସ୍ତ୍ର ପ୍ରୟୋଗ କରିଛି ।  ଭିଡିଓ ମାଧ୍ୟମରେ ଯୋଡ଼ି ଶଙ୍ଖରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୁହଁରେ ଆଜି ଭିଡିଓ ବାର୍ତ୍ତା ଜାରି କରି ଭୁବନେଶ୍ୱରର ଓ ପୁରୀ ଲୋକସଭା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାତେଇବାକୁ ଦଳ ପ୍ରୟାସ କରିଛି ।

ତେବେ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଜିତାଇବା ପାଇଁ ନବୀନଙ୍କ ଏହି ଭିଡିଓ ଏବେ ‘ବିଧା ମାରି ପଣସ ପଚାଇବା’ ସଦୃଶ ହୋଇଛି ।  ଆଉ ନବୀନଙ୍କ ମୁହଁରେ ମନ୍ମଥଙ୍କୁ ‘ଯୁବ ପୀଢ଼ୀ’ର ପ୍ରେରଣା ବୋଲି କୁହାଇ ବିଜେଡି ଖୋଲାଖୋଲି ଭାବେ ରାଜ୍ୟରେ ‘ମା’ଙ୍କୁ ସମ୍ମାନ’ ପ୍ରତି କଟାକ୍ଷ ଏବଂ ଠକେଇ ଓ ଅନ୍ୟାନ୍ୟ ଅପରାଧର ଅଭିଯୁକ୍ତମାନଙ୍କୁ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ହୋଇଛି । ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ମନ୍ମଥ ତାଙ୍କ ସାଙ୍ଗରେ ମିଶି ଭୁବନେଶ୍ୱର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି କାମ କରିବେ । ଭୁବନେଶ୍ୱରକୁ ୱାର୍ଲଡ୍ କ୍ଲାସ୍ ସହର ଭାବେ ସ୍ଥାପନ କରିବାରେ ମନ୍ମଥ ତାଙ୍କ ସହଯୋଗ କରିବେ ବୋଲି କହିଛନ୍ତି ନବୀନ।

ବିଜେଡି ସୁପ୍ରୀମୋ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ବିଜେପି ସାଂସଦ ଭୁବନେଶ୍ୱର ପାଇଁ କିଛି କରିନାହାନ୍ତି । ଏପରି କି ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ଋୂପାନ୍ତର କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ଆଜିର ଯୁଗରେ ରାଜନୀତିରେ ଯୁବ ପିଢ଼ି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଯୁବପିଢ଼ି ସବୁ ବର୍ଗର ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ମନ୍ମଥ ରାଜନୀତିକୁ ଫେରି ଯୁବ ପିଢ଼ିଙ୍କୁ ପ୍ରେରିତ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.