ଥାନାରେ ମୋତେ ଗେଟ୍ ଆଉଟ୍‌ କହିଥିଲେ; ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଆଜି ଲୋକସେବା ଭବନର କନଭେନସନ ହଲ୍‌ରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରି କହିଛନ୍ତି ଯେ, ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରନ୍ତୁ ଜିଲ୍ଲାପାଳ।  ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ।

ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ।ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ।  ତେବେ ଆଜି ଜିଲ୍ଲାପାଳଙ୍କ ସହ ବୈଠକ ପରେ ଆସନ୍ତାକାଲି ଏସ୍‌ପିଙ୍କ ସହ ଆଲୋଚନା କରାଯିବ | ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ଦେଉଥିବା ବେଳେ ପୂର୍ବ କଥା ମନେ ପକାଇଛନ୍ତି | ପୂର୍ବରୁ ତାଙ୍କ ପ୍ରତି ପୋଲିସ କର୍ମଚାରୀ କରିଥିବା ଦୁର୍ବ୍ୟବହାର କଥା ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ଥାନାଅଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା | ବିରୋଧୀ ଦଳ ନେତା ଭାବେ ମୁଁ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି |

ମାତ୍ର ଥାନାର ଆଇଆଇସି ମୋ ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ଅଧିକାର ନାହିଁ ବୋଲି ମୋତେ କହିଥିଲେ | ଆମ ଥାନାକୁ କାହିଁକି ଆସିଛ କହି ଆଇଆଇସି ମୋତେ ଗେଟ୍ ଆଉଟ୍‌ ବୋଲି କହିଥିଲେ | ଏପରିସ୍ଥିତି ରାଜ୍ୟରେ ଆମ ସରକାର ଆସିବାର ଏକ ମାସ ପୂର୍ବରୁ ହୋଇଥିଲା | ଏହି ଅବସରରେ ଜିଲ୍ଲାପାଳମାନେ ଜିଲ୍ଲା ସ୍ତରରେ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳ ମାନଙ୍କୁ ବୁଝିଥାନ୍ତି। ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ବୁଝାଯାଇଥାଏ। ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୋଇଥାଏ।

Comments are closed.