ବାଲେଶ୍ୱର(ଓଡ଼ିଆ ନ୍ୟୁଜ୍): ସଫଳ ହେଲା ପୃଥିବୀ-୨ର ପରୀକ୍ଷଣ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପ୍ରତିରକ୍ଷା ଘାଟିର ୩ ନଂ ଲଞ୍ଚ ପ୍ୟାଡ୍ରୁ ବୁଧବାର ରାତିରେ ପରୀକ୍ଷଣ ହୋଇଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨ ସଫଳ ହୋଇଛି। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଡିଆରଡିଓର ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ ଏହି କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା।
ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଉତ୍କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଏହା ୫୦୦ରୁ ୧ ଟନ୍ ପର୍ୟ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ପୃଥିବୀ-୨ର ଲମ୍ବ ୯ମିଟର, ଓସାର ୧୧୦ ସେଣ୍ଟିମିଟର ଓ ଓଜନ ୪.୬ ଟନ୍ ବୋଲି ଜଣାଯାଇଛି ।