ପୁରୀ(ଓଡ଼ିଆ ନ୍ୟୁଜ୍) : ରଥଯାତ୍ରାକୁ ଆଉ ମାତ୍ର ୪ ଦିନ । ଏଣୁ ରଥ ନିର୍ମାଣ କାମ ସରିବା ଉପରେ । ଏହି କ୍ରମରେ ରଥରେ ଦିଆଯାଉଛି ଶେଷ ସ୍ପର୍ଶ । ରବିବାର ରଥରେ କଳସ ଉଠି ଅଁଳା ଓ ଓଲଟଶୁଆ ସ୍ଥାପନ କରାଯାଇଛି । ତିନି ରଥରେ ୩ଟି କଳସ ଓ ୬ଟି ଓଲଟ ଶୁଆ ସ୍ଥାପନ କରାଯାଇଛି । ରଥରେ କନକମୁଣ୍ଡି କାର୍ୟ୍ୟ ଓ ରଥଖଳାରେ ରୂପକାରଙ୍କ ପ୍ରଭା କାର୍ଯ୍ୟ ଅନ୍ତିମ ପର୍ଯ୍ୟୟରେ । ରଥରେ ହଂସପଟା ଲଗାଯାଇଛି । କାର୍ଯ୍ୟ ସରିବାରେ ରବିବାର ସମ୍ପୂର୍ଣ୍ଣ ଭାବେ ରଥ ଚାଳି ଭଙ୍ଗାଯାଇଛି । ଚିତ୍ରକର, ରୂପକାର ଓ ଦର୍ଜୀଙ୍କ କାର୍ଯ୍ୟ ଜୋରଦାର ଚାଲିଛି । ରଥଖଳାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ରୂପକାରମାନେ କାମ କରୁଛନ୍ତି । ରଥ ଖଳାରେ ଘୋଡ଼ାରେ ରଙ୍ଗ ଦେବାକୁ ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିର ନୂତନ କାର୍ଯ୍ୟଳୟ ତଳମହଲାରେ ଚିତ୍ରକର କାର୍ଯ୍ୟବ୍ୟସ୍ତ ରହିଛନ୍ତି । ରୂପକାରମାନେ ପ୍ରଭାରେ ଖୋଦେଇ କାର୍ଯ୍ୟ ଶେଷ କରିଛନ୍ତି । ପାଶ୍ୱର୍ଦେବଦେବୀ, ସଖୀ, ଶିଖରଡମ୍ବରୁ ଚିତ୍ର ସରିବା ଉପରେ । ରଥର ତିନି ସାରଥିଙ୍କ ରଙ୍ଗ କାମ ଶେଷ ହେଉଛି ।
ରଥ କାଠ ନିର୍ମାଣ ସରିବା ପରେ ଆଜି ରଥଚାଳି ଚାଞ୍ଚ ଖୋଲାଯାଇଛି। ତିନି ରଥରେ ଏଣିକି କନାମଣ୍ଡଣି ହେବ । ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦର୍ଜୀ ସେବକ କନା ସିଲାଇରେ ବ୍ୟସ୍ତ ରହିଛନ୍ତି । ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଇବେ । ରଥର ଚାରିପଟେ ଠେକରାବାଡ଼ ଲାଗିବ । ରଥକାମ ଶେଷ ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥମାନଙ୍କର କନା ମଣ୍ଡଣି କାମ ସରିବା ପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ ।