କାର ଧକ୍କାରେ ଓଲଟି ପଡ଼ିଲା ସ୍କୁଲ୍ ବସ୍‌

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତେଲେଙ୍ଗାନାର ହାନମାକୋଣ୍ଡାରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଜାତୀୟ ରାଜପଥରେ କାର ଧକ୍କାରେ ଓଲଟି ପଡ଼ିଲା ସ୍କୁଲ୍‌ ବସ୍‌। ଏଥିରେ ୧୫ରୁ ଅଧିକ ଶିକ୍ଷାର୍ଥୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହିଭଳି କାରରେ ଥିବା ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।  ଦୁର୍ଘଟଣାଗ୍ରସ୍ତ ବସରେ ପ୍ରାୟ 30ରୁ 40ଜଣ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ ।

ଦୁର୍ଘଟଣାଗ୍ରସ୍ତ ବସଟି ପେମ୍ବର୍ଟି ଏକାଶିଳା ସ୍କୁଲ ବସ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ବସ୍‌ର ସାମ୍ନା କାଚ ଭାଙ୍ଗି ପିଲାଙ୍କୁ ଉଦ୍ଧାର କରିଥିଲେ । ସୌଭାଗ୍ୟବଶତଃ କୁନି କୁନି ପିଲାଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେପଟେ ବସକୁ ଧକ୍କା ଦେଇଥିବା କାରରେ 3ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟମାନଙ୍କୁ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ମୁତାବକ, ଏହି ଦୁର୍ଘଟଣା ବେଳର ଦୃଶ୍ୟ ନିକଟସ୍ଥ ଏକ ସିସିଟିଭିରେ କଏଦ ହୋଇଛି।

ଏଥିରେ ଦେଖିବାକୁ ମିଳିଛି ବସ୍‌ଟି ୟୁଟର୍ଣ୍ଣ ନେଉଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ କାର ଏହାକୁ ଜୋରରେ ଧକ୍କା ଦେଇଥିଲା। କାର୍‌ଟି ଧକ୍କା ଦେବା ମାତ୍ରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ଟି ଓଲଟି ପଡ଼ିବା ପରେ ଭିତରୁ ଦୁଇ ଜଣ ଝରକା ଡେଇଁ ବାହାରି ଥିଲେ। ସେହିସମୟରେ ସେଠାରେ ଆସି ପହଞ୍ଚିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ମିଶି ସେମାନେ ବସ୍‌ର ସାମ୍ନାକାଚକୁ ଗୋଇଠା ମାରି ବାହାର କରି ଦେଇଥିଲେ ଓ ସେହି ବାଟ ଦେଇ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା।

 

Leave A Reply

Your email address will not be published.