ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ନେତା ହେମନ୍ତ ସୋରେନଙ୍କୁ କୋର୍ଟରୁ ମିଳିଲା ଆଶ୍ୱସ୍ତି। ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟ ଆଜି ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ରାଞ୍ଚି ବଡଗାଇ ଅଞ୍ଚଳରେ ୮.୮୬ ଏକର ଜମି ଘୋଟାଲା ମାମଲାରେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ସୋରେନଙ୍କୁ ଗିରଫ କରିଥିଲା ।
ସେବେଠୁ ସେ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ଅଛନ୍ତି । ଏବେ ପ୍ରାୟ ୬ ମାସ ପରେ ତାଙ୍କୁ ଜାମିନ ମିଳିଛି । ଜାନୁଆରୀ ୩୧ରେ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ପୂର୍ବରୁ ୯ ଥର ସମନ ପଠାଇବା ପରେ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି। ଏହାପୂର୍ବରୁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ଇଡି ତାଙ୍କୁ ଗିରଫ କରିଥିଲା। ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପଇ ସୋରେନ୍ ।
ଗିରଫ ପୂର୍ବରୁ ହେମନ୍ତଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରି ଇଡି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲା । ତା’ ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ । ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ସୁଯୋଗ ଦେଇଥିଲା । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି ବୋଲି ସୋରେନ କହିଥିଲେ ଏବଂ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ।