ଜ୍ଞାନବାପି ମସଜିଦ ପରିସରରେ ଥିବା ଶିବଲିଙ୍ଗର ବୈଜ୍ଞାନିକ ସର୍ଭେ ସ୍ଥଗିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରାଣସୀସ୍ଥିତ ଜ୍ଞାନବାପି ମସଜିଦ ପରିସରରେ ଥିବା ଶିବଲିଙ୍ଗର ବୈଜ୍ଞାନିକ ସର୍ଭେ ସ୍ଥଗିତ । ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁକ୍ରବାର ଶୁଣାଣି ହୋଇଛି। ପ୍ରଧାନବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ  ମସଜିଦର ବୈଜ୍ଞାନିକ ସର୍ଭେ ଓ ଏହା ପରିସରରେ ଥିବା ଶିବଲିଙ୍ଗର ସମୟ ନିର୍ଦ୍ଧାରଣ ଲାଗି ହେବାକୁ ଥିବା କାର୍ବନ୍ ଡେଟିଂ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ ହୁଫେଜା ଅହମଦି ମାମଲାର ଜରୁରୀ ଶୁଣାଣି କରିବାକୁ ଆବେଦନ କରିଥିଲେ।  ମେ ୨୨ ତାରିଖରେ ଏଏସ୍‌ଆଇ ପକ୍ଷରୁ ମସଜିଦର ସର୍ବେକ୍ଷଣ ଆରମ୍ଭ କରାଯିବାକୁ ଥିବା ବେଳେ  ଏହାର ଜରୁରୀ ଶୁଣାଣି ଆବଶ୍ୟକ ବୋଲି ସେ ଯୁକ୍ତି ବାଢ଼ିଥିଲେ। ହିନ୍ଦୁପକ୍ଷ  ମସଜିଦ୍ ପରିସରରେ ଏକ ଶିବଲିଙ୍ଗ ରହିଛି ବୋଲି ଦାବି କରୁଥିବା ବ‌େଳେ ଏହା ଏକ ଜଳଫୁଆରା ବୋଲି ଯୁକ୍ତି ବ‌ାଢୁଛନ୍ତି ମସଜିସ୍ କର୍ତ୍ତୃପକ୍ଷ। ଏହି ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ସଲିସିଟର ଜେନେରାଲ୍ ତୁଷାର ମେହେତା ଶୀର୍ଷ ଅଦାଲତଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ବୈଜ୍ଞାନିକ ସର୍ଭେ ହେବା ଫଳରେ ମସଜିଦର ଢ଼ାଞ୍ଚାକୁ କ୍ଷତି ପହଞ୍ଚିପାରେ।

ଏଣୁ ଏଏସଆଇର ପରାମର୍ଶ ଗ୍ରହଣ କରି ଏ ଦିଗରେ କାର୍ଯ୍ୟହେବା ଦରକାର। ବିଭିନ୍ନ ପକ୍ଷର ଶୁଣାଣି ପରେ ସର୍ବୋଚ୍ଚ ଅଦାଲତ ବୈଜ୍ଞାନିକ ସର୍ଭେକୁ ସ୍ଥଗିତ ରଖିବା ସହ ରାଜ୍ୟ ସରକାର ଆ‌ର୍କୋଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ସହ ପରାମର୍ଶ କରିବାକୁ କହିଥିଲେ। ମସଜିଦରେ ଥିବା ଶିବଲିଙ୍ଗର ସମୟ ନିର୍ଦ୍ଧାରଣ କାର୍ବନ୍ ଡେଟିଂ ବ୍ୟତୀତ ଅନ୍ୟ କେଉଁ ବିକଳ୍ପ ପଦ୍ଧତିରେ ହୋଇ ପାରିବ କି ନାହିଁ ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାରାଣାସୀର ବିବାଦୀୟ ଜ୍ଞାନବାପି ମାମଲାରେ ଆହ୍ଲାବାଦ ହାଇକୋର୍ଟରୁ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ମିଳିଥିଲା । ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଥିଲେ । କାର୍ବନ ଡେଟିଂ ମାଧ୍ୟମରେ କଥିତ ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଏଏସ୍ଆଇକୁ ଶିବଲିଙ୍ଗକୁ କ୍ଷତି ନପହଞ୍ଚାଇ ଏହି ସର୍ଭେ କରିବାକୁ ପଡ଼ିବ। ବୈଜ୍ଞାନିକ ସର୍ବେକ୍ଷଣ ଜରିଆରେ ଯାହାକୁ ଶିବଲିଙ୍ଗ ବୋଲି ଦାବି କରାଯାଉଛି ତାହା ବାସ୍ତବରେ ଶିବଲିଙ୍ଗ ନା ଅନ୍ୟ କିଛି ତାହା ସହଜରେ ଜଣାପଡ଼ିବ।

Leave A Reply

Your email address will not be published.