ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଓ ସକାଳେ ଯାତ୍ରୀବାହୀ ଟ୍ରେନ୍ ଗଡ଼ିଛି । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା । ପ୍ରଥମ ଟ୍ରେନ ଚାଲିଲା ବେଳେ ହାତ ଯୋଡି ପ୍ରଥମ ଟ୍ରେନକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଣାମ କରୁଥିବା ନଜର ଆସିଛନ୍ତି । ଏହା ସହ ସେ ଭାବ ବିହ୍ବଳ ହୋଇ କହିଛନ୍ତି ଏବେ ବି ଦାୟିତ୍ୱ ସରିନି । ଦୁର୍ଘଟଣାସ୍ଥଳରେ ଧ୍ୱଂଶବିଧ୍ୱଂଶ ଅବସ୍ଥାରେ ପଡିରହିଥିବା ବଗିଗୁଡିକୁ ଟ୍ରାକରୁ ହଟାଇ ଦିଆଯାଇଛି । ଦୁର୍ଘଟଣା ପରେ ଶନିବାରଠୁ ଘଟଣାସ୍ଥଳରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି ମନ୍ତ୍ରୀ ।
Down-line restoration complete. First train movement in section. pic.twitter.com/cXy3jUOJQ2
— Ashwini Vaishnaw (@AshwiniVaishnaw) June 4, 2023
ଗତକାଲି ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଥିଲା ଯାତ୍ରୀବାହୀ ଟ୍ରେନ୍। ଏଣେ ଦୁର୍ଘଟଣାସ୍ଥଳରେ ଅପ ଓ ଡାଉନ୍ ଲାଇନ୍ ମରାମତି କାମ ସରିଥିବାରୁ ଏହି ବାଟ ଦେଇ ଯାଉଥିବା କେବଳ ଦୁଇଟି ଟ୍ରେନକୁ ବାଦ୍ ଦେଇ ବାକି ସବୁ ଟ୍ରେନ୍ ସ୍ବାଭାବିକ ଭାବେ ଚଳାଚଳ କରୁଛି। ଦୁଇଟି ଟ୍ରେନ୍ ବାତିଲ ହୋଇଛି। ଏହି ଦୁଇଟି ଟ୍ରେନ୍ ହେଲା ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍। ବାହାନଗା ରେଳ ଦୁର୍ଘଟଣା ପରେ ସେଠାରେ ମରାମତି କାମ ଚାଲୁଥିବାରୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ରହିଛି।