ଏମିତି ଚାଲିଛି ଆମ ଉଚ୍ଚଶିକ୍ଷା ବ୍ୟବସ୍ଥା: ୧୬ ସରକାରୀ ବିଶ୍ୱବିଦ୍ୟାଳୟରୁ ୯କୁ ମିଳିନି ନାକ୍ ମାନ୍ୟତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ମାଳମାଳ କଲେଜ ଓ ବିଶ୍ୱବିଦ୍ୟାଳୟ ତଥାପି ସନ୍ତୋଷଜନକ ନୁହଁ ଆମ ଉଚ୍ଚଶିକ୍ଷା ବ୍ୟବସ୍ଥା । ଭିତ୍ତିଭୂମି ଦୁର୍ବଳ ହେତୁ ୧୬ ସରକାରୀ ବିଶ୍ୱବିଦ୍ୟାଳୟରୁ ୯କୁ ମିଳିନି ନାକ୍ ମାନ୍ୟତା। ନା ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ଅଛନ୍ତି, ନା ଠିକ୍‌ ଭାବେ ପାଠପଢ଼ା ହେଉଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକର କାୟା ବଢୁଛି। ହେଲେ ଗୁଣବତ୍ତା କମୁଛି। ଯେଉଁଥିପାଇଁ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍। ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ। ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ। ନାକ୍ ମାନ୍ୟତା ମିଳୁ ନ ଥିବାରୁ ଅଟକୁଛି ଅନୁଦାନ। ପ୍ରଭାବିତ ହେଉଛି ଉଚ୍ଚ ଶିକ୍ଷା।

ବିଶ୍ୱବିଦ୍ୟାଳୟ ସହ ରାଜ୍ୟର ଅଧିକାଂଶ ଡିଗ୍ରୀ କଲେଜର ନାହିଁ ନାକ୍ ମାନ୍ୟତା। ଯାହାକି ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଲଗାଇଛି। ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗତ ବିଧାନସଭାରେ ଯେଉଁ ଉତ୍ତର ରଖିଛନ୍ତି ତାହା ବିବ୍ରତ କଲାଭଳି। ରାଜ୍ୟର ୧୬ ସରକାରୀ ବିଶ୍ୱବିଦ୍ୟାଳୟରୁ ମାତ୍ର ୭ଟିର ନ୍ୟାସନାଲ୍ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ୍ ବା ନାକ୍ ମାନ୍ୟତା ଅଛି। ସେହିପରି ୫୧୭ ପଞ୍ଜୀକୃତ ଡିଗ୍ରୀ କଲେଜରୁ ମାତ୍ର ୧୮୮ଟିକୁ ନାକ୍ ମାନ୍ୟତା ମିଳିଛି। ଜିଲ୍ଲାୱାରୀ ତଥ୍ୟ ତ ଆହୁରି ସାଂଘାତିକ। ନବରଙ୍ଗପୁରର କୌଣସି ଡିଗ୍ରୀ କଲେଜ ନାକ୍ ମାନ୍ୟତା ପାଇନଥିବାବେଳେ ଦେବଗଡ, ମାଲକାନଗିରି, ସୋନପୁର ଓ କନ୍ଧମାଳରେ ଗୋଟିଏ ଲେଖାଏଁ ନାକ୍ ମାନ୍ୟତା ଥିବା କଲେଜ ରହିଛି। ସରକାର ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଆଶ୍ଚର୍ଯ୍ୟର କଥା ହେଉଛି ଅଧିକାଂଶ ଶିକ୍ଷାନୁଷ୍ଠାନ ନାକ୍ ପ୍ରକ୍ରିୟାରେ ସାମିଲ ହୋଇପାରୁନାହାଁନ୍ତି।

ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନୂଆ ବିଶ୍ୱବିଦ୍ୟାଳୟ ଖୋଲୁଛନ୍ତି। ହେଲେ ଅନୁନ୍ନତ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଲାଗି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ନାକ୍ ନିଜ ମାନ୍ୟତା ଦେବା ପୂର୍ବରୁ ଶିକ୍ଷାନୁଷ୍ଠାନର ତିନିଟି ଦିଗ ଉପରେ ତର୍ଜମା କରିଥାଏ। ପ୍ରଥମଟି ହେଲା ଭିତ୍ତିଭୂମି ଓ ଶିକ୍ଷକ, ଦ୍ୱିତୀୟଟି ହେଲା ଗବେଷଣା ଓ ତୃତୀୟଟି ହେଲା ପାରଦର୍ଶିତା। ଏହା ଅନୁଯାୟୀ, ୟୁଜିସି ଠାରୁ ଆରମ୍ଭ କରି, ରୁସା ଓ ବିଶ୍ୱବ୍ୟାଙ୍କ ପାଣ୍ଠି ଆସିଥାଏ। ଉଚ୍ଚ ଶିକ୍ଷାନୁଷ୍ଠାନ ନାକ୍ ପାଇଁ ପ୍ରସ୍ତୁତ କରି ବିଭିନ୍ନ ଅନୁଦାନ ଆଣିବା ଲାଗି ଉଚ୍ଚଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ପରିଷଦ ଗଠନ କରିଛି।  ସେପଟେ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରୢାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ମେଡିକାଲ, କଲେଜ, ଫାର୍ମାସି, ସାଧାରଣ କଲେଜ ବିଭାଗରେ ଭଲ ରୢାଙ୍କ ପାଇପାରି ନାହାନ୍ତି। କେବଳ ଯାହା ଦେଶର ଶହେ ବିଶ୍ବବିଦ୍ୟାଳୟ ଭିତରେ ଉତ୍କଳ ଏବଂ ୨୦୦ ଭିତରକୁ ଫକୀର ମୋହନ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରବେଶ କରିଛନ୍ତି। ଇଞ୍ଜିନିୟରିଂ ବର୍ଗରେ ଭିସୁଟ୍‌ କିଛିଟା ସଫଳ ହୋଇଛି। ଆଉ କୌଣସି ବି ଶିକ୍ଷାନୁଷ୍ଠାନର ପ୍ରଦର୍ଶନ ଉନ୍ନତଧରଣର ହୋଇନାହିଁ। ଗୋଟିଏ ପଟେ ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ପାଣ୍ଠି ଯୋଗାଉଥିବା ବେଳେ ଅନ୍ୟପଟେ ଶିକ୍ଷାନୁଷ୍ଠାନର ଏଭଳି ନୈରାଶ୍ୟଜନକ ରୢାଙ୍କ୍‌ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିଛି ସରକାରୀ ବିଶ୍ବବିଦ୍ୟାଳୟ ପାଣ୍ଠି ଅଭାବକୁ ଦର୍ଶାଇ ନିଜ ଅପାରଗତାକୁ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ ଘରୋଇ ବିଶ୍ବବିଦ୍ୟାଳୟ ପାଖରେ ପ୍ରଚୁର ଅର୍ଥ ଥିବାରୁ ସେମାନେ ଭିତ୍ତିଭୂମି ବିକାଶ କରି ଭଲ ରୢାଙ୍କ ପାଉଛନ୍ତି। ଆମ ପାଖରେ ଅର୍ଥ ନାହିଁ। ତେଣୁ ଭିତ୍ତିଭୂମି ବିକାଶ କରିପାରୁ ନାହୁଁ। ଅର୍ଥ ମିଳିଲେ ଆମେ ବି ଭଲ ପ୍ରଦର୍ଶନ କରିବୁ ବୋଲି କହୁଛନ୍ତି।

ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷ ଅର୍ଥାତ୍‌ ୨୦୧୩-୧୪ ଆର୍ଥିକବର୍ଷରୁ ଗତ ଜୁନ୍‌ ୩୦ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ୧୪ଟି ବିଶ୍ବବିଦ୍ୟାଳୟକୁ ବିଭିନ୍ନ ପାଣ୍ଠିରୁ ୩ ହଜାର ୮୫୮ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୩ ହଜାର ୪୦୯ କୋଟି ୭୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆହୁରି ୪୪୮ କୋଟି ୬୮ ଲକ୍ଷ ଟଙ୍କା ପଡ଼ିରହିଛି। ଏହି ସମୟ ଅବଧି ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଭିନ୍ନ ପାଣ୍ଠିରୁ ଅର୍ଥ ଅଜାଡ଼ି ଦିଆଯାଇଛି। ଅନ୍ୟ ୧୩ଟି ବିଶ୍ବବିଦ୍ୟାଳୟକୁ ଯେତିକି ଅର୍ଥ ମିଳିଛି ତାହାର ଏକ ତୃତୀୟାଂଶ କେବଳ ଉତ୍କଳ ବିଶ୍ବବିଦ୍ୟାଳୟକୁ ଦିଆଯାଇଛି। ୧୩ଟି ବିଶ୍ବବିଦ୍ୟାଳୟକୁ ୧୦ ବର୍ଷ ମଧ୍ୟରେ ବିଭିନ୍ନ ପାଣ୍ଠିରୁ ୨୬୭୨.୩୪ କୋଟି ଟଙ୍କା ମିଳିଛି। ସେଥିମଧ୍ୟରୁ ସେମାନେ ୨୨୯୧.୭୯ କୋଟି ଖର୍ଚ୍ଚ କରିଛନ୍ତି। ବାକି ଅର୍ଥ ପଡ଼ି ରହିଛି। ଯଦି କେବଳ ଉତ୍କଳ ବିଶ୍ବବିଦ୍ୟାଳୟ କଥା ଦେଖିବା ୧୦ ବର୍ଷରେ ୧୧୮୬ କୋଟି ୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୧୧୧୮ କୋଟି ଟଙ୍କା ଏବେ ସୁଦ୍ଧା ଖର୍ଚ୍ଚ ହୋଇଛି। ବାକି ଅର୍ଥ ପଡ଼ି ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ବ୍ଲକଗ୍ରାଣ୍ଟରୁ କେବଳ ୯୫୯ କୋଟି ୩୩ ଲକ୍ଷ ଟଙ୍କା ହାତେଇଛି। ଏହାବାଦ୍‌ ଆଇଡି(ଇନ୍‌ଷ୍ଟିଚ୍ୟୁସନାଲ ଡେଭଲ୍‌ପମେଣ୍ଟ) ଗ୍ରାଣ୍ଟରୁ ୧୩୦ କୋଟି ଓ ରୁସାରୁ ୯୬ କୋଟି ୮ ଲକ୍ଷ ଟଙ୍କା ପାଇଛି। ୧୦ ବର୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବ୍ଲକଗ୍ରାଣ୍ଟରୁ ୬୦୧.୨୫, ରୁସାରୁ ୧୮ ଓ ଆଇଡି ଗ୍ରାଣ୍ଟରୁ ୬୬.୮୧ କୋଟି ଟଙ୍କା ପାଇଛି। ମାତ୍ର ଖର୍ଚ୍ଚ କରିବାରେ ଏହି ବିଶ୍ବବିଦ୍ୟାଳୟ ଅନ୍ୟମାନଙ୍କଠାରୁ ବହୁ ପଛରେ ପଡ଼ିଛି।

ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ୨୦୧.୪୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରି ନାହାନ୍ତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କିନ୍ତୁ ଅର୍ଥ ଖର୍ଚ୍ଚ କରିବାରେ ପୁରାତନ ବିଶ୍ବବିଦ୍ୟାଳୟ ତୁଳନାରେ ଆଗରେ ରହିଛି। ଏହି ବିଶ୍ବବିଦ୍ୟାଳୟକୁ ବ୍ଲକ୍‌ଗ୍ରାଣ୍ଟରେ ୬୧୦ କୋଟି ୬୯ ଲକ୍ଷ, ରୁସାରେ ୧୭.୯୯ କୋଟି ଓ ଆଇଡି ଗ୍ରାଣ୍ଟରେ ୮୯.୦୪ କୋଟି ଟଙ୍କା ମିଳିଥିଲା। ସେଥିରୁ ୭୨୧.୫୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ମିଳିଥିବା ସମସ୍ତ ପାଣ୍ଠି ଖର୍ଚ୍ଚ ହୋଇସାରିଛି। ସମ୍ବଲପୁର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ ମୁକ୍ତ ବିଶ୍ବବିଦ୍ୟାଳୟକୁ ୟୁଜିସି ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ(ଡବ୍ଲୁଓଡିସି)ରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ୨୮.୬୯ କୋଟି ଟଙ୍କା ହାତେଇଛି। ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକ ଏତେ ସବୁ ଅର୍ଥ ପାଇବା ପରେ ମଧ୍ୟ ନିଜର ଭିତ୍ତିଭୂମି ସୁଦୃଢ଼ କରିପାରି ନାହାନ୍ତି କି ଦେଶର ଶ୍ରେଷ୍ଠ ଶହେ ମଧ୍ୟକୁ ଆସିପାରି ନାହାନ୍ତି।

Leave A Reply

Your email address will not be published.