ଆଜି ଥିଲା ଯୁକ୍ତ୨ ପ୍ରଥମ ଦିନ ପରୀକ୍ଷା: ପରୀକ୍ଷା ବେଶ୍ ଭଲ ହୋଇଥିବା ଛାତ୍ରଛାତ୍ରୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ଯୁକ୍ତ୨ ବୋର୍ଡ଼ ପରୀକ୍ଷା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ସାହିତ୍ୟ ବିଷୟ ପରୀକ୍ଷା ଦେଇଛନ୍ତି କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ। ସକାଳ ୯ ଟା ରୁ ୧୨ ଟା ପରୀକ୍ଷା ହୋଇଥିବାବେଳେ ଠିକ ୮.୩୦ ରେ ପିଲାଙ୍କୁ ପରୀକ୍ଷା ହଲ କୁ ପ୍ରବେଶ କରାଯାଇଥିଲା। ୮ଟା ୫୦ ରେ ପ୍ରଶ୍ନପତ୍ର ଦିଆଯାଇଥିଲା ଓ ୮ଟା୫୫ ମିନିଟ ରେ ଉତ୍ତର ଖାତା ଦିଆଯାଇଥିଲା ଲେଖିବାକୁ। ୯ଟା ରୁ ଆରମ୍ଭ ହୋଇଥିଲା ପରୀକ୍ଷା। ତେବେ ପ୍ରଥମ ଦିନ ପରୀକ୍ଷା ବେଶ ଭଲ ହୋଇଥିବା ଛାତ୍ରଛାତ୍ରୀ କହିଛନ୍ତି। ପରିଶ୍ରମ ଅନୁଯାୟୀ ପ୍ରଶ୍ନ ଆସିଥିବାବେଳେ ଭଲ ରେଜଲ୍ଟ ନେଇ ଆଶାବାଦୀ ଅଛନ୍ତି। ସେପଟେ ସେଣ୍ଟର ଗୁଡିକରେ ମଧ୍ୟ କୋଭିଡ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ନେଇ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଥିଲା ।
ସେପଟେ ଆସନ୍ତାକାଲି ଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ସମେଟିଭ ଆସେସମେଣ୍ଟ ୨ ପରୀକ୍ଷା କରାଯାଉଥିବାବେଳେ ସମ୍ପୂର୍ଣ୍ଣ ବୋର୍ଡ଼ ଢାଞ୍ଚାରେ ହେବ ପରୀକ୍ଷା। ସେଥିପାଇଁ ପ୍ରସ୍ତୁତ ପରୀକ୍ଷା କେନ୍ଦ୍ର। ଟାଣ ଖରା କୁ ଆଖିରେ ରଖି ସକାଳ ୮ ରୁ ୧୦ ହେବ ପରୀକ୍ଷା। ୭ଟା ରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯିବ। ୭.୩୦ ରେ ପିଲାଙ୍କୁ ଓ.ଏମ.ଆର ସିଟ ଦିଆଯିବ ଓ ୭.୪୫ ରେ ଦିଆଯିବ ପ୍ରଶ୍ନପତ୍ର। ୮ ଟା ରୁ ଆରମ୍ଭ ହେବ ପରୀକ୍ଷା। ୮ଟା ରୁ ୯ ଟା ଓ.ଏମ.ଆର ସିଟରେ ୫୦ ମାର୍କର ହେବ ଅବଜେକ୍ଟିଭ ପରୀକ୍ଷା।୯ ଟା ରୁ ୧୦ ଟା ହେବ ୩୦ ମାର୍କର ସବଜେକ୍ଟିଭ୍ ପରୀକ୍ଷା। କେନ୍ଦ୍ର ଗୁଡିକରେ ସିସିଟିଭି ଲାଗିବା ସହ ଖରା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।
ଦଶମ ଓ ଯୁକ୍ତ୨ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଆଜିଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦୁଇବର୍ଷ ପରେ ପିଲା ଅଫଲାଇନ ରେ ପରୀକ୍ଷା ଦେବେ। ଏଣୁ ପିଲାମାନେ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ଖରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍କୁଲ ମାନଙ୍କରେ ହୋଇଛି। ବିଶେଷ କରି ବିଜୁଳି ସରବରାହ ଯେମିତି ବିଛିନ୍ନ ନ ହୁଏ ସେଥିପାଇଁ ବିଦ୍ୟୁତ କମ୍ପାନୀ ସହ ଯୋଗାଯୋଗ ହୋଇଛି। ସବୁ କେନ୍ଦ୍ର ରେ ସିସିଟିଭି ଲାଗିଛି। କୌଣସି ଅସୁବିଧା ହେବନାହିଁ। ପରୀକ୍ଷା ପରେ ରେଜଲ୍ଟ କିଭଳି ଭଲରେ ପ୍ରକାଶ ପାଇବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଦଶମ ଶ୍ରେଣୀ ଓ ମେ ୩୧ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ୨ ପରୀକ୍ଷା।