ଆଜି ବଡଠାକୁର ବଳଭଦ୍ରଙ୍କ ଜନ୍ମଦିନ, ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ପାଳନ ହେଉଛି ବଡଠାକୁର ଶ୍ରବଳଭଦ୍ରଙ୍କ ଜନ୍ମଦିନ । ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବାସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ।

ବଡ଼ ଭାଇ ବଳଭଦ୍ର, ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁସାରେ ନୀତି ପାଳନ ହେବ। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ମହାପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ମଧ୍ୟାହ୍ନ ଧୂପ ପରେ ରକ୍ଷାବନ୍ଧନ ନୀତି ଅନୁଷ୍ଠିତ ହେବ। ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ। ଗତକାଲି ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଅନୁଷ୍ଠିତ ହୋଇଥିଲେ ବି ବିଷ୍ଟି ଯୋଗ ପଡିଥିବାରୁ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ନୀତି ଆଜି ପାଳନ କରାଯାଉଛି।

ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ରଙ୍କ ଦ୍ୱାରା ରାକ୍ଷୀ ପ୍ରସ୍ତୁତ କରାଯାଇଛି । ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ ହୋଇଛି । ଏଥିସହ ୪ ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏସବୁକୁ ଶ୍ରୀମନ୍ଦିର ନିଆଯାଇଛି । ପାଟରା ବିଶୋଇ ସେବକମାନେ ଶ୍ରୀମନ୍ଦିର ଗାରଦରେ ଏହାକୁ ଦାଖଳ କରିବା ପରେ ମହାପ୍ରଭୁଙ୍କ ନିର୍ଘଣ୍ଟ ନୀତି ଅନଯାୟୀ ଲାଗି କରାଯିବ । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ଦୁଇଟି ଏବଂ ବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗର ଦୁଇଟି ରାକ୍ଷୀ ପ୍ରସ୍ତୁତ ହୋଇଛି । ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଓ ଗହ୍ମାପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହେଇଛି ।

Leave A Reply

Your email address will not be published.