ଆଜି ହେଉଛି ପବିତ୍ର ମହାଳୟ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି। ‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ। ଏହି ପୁରୁଷମାନେ ହେଉଛନ୍ତି ଆମ କୁଳର ମହାନ ପୂର୍ବଜମାନେ। ସ୍ୱର୍ଗରେ ସେମାନେ ଯେଉଁ ପିତୃଲୋକରେ ଅବସ୍ଥାନ କରନ୍ତି ତାହା ‘ମହାଳୟ’।

ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ତର୍ପଣ ପାଇଁ ପ୍ରଶସ୍ତ। ବିଶେଷ କରି ଅମାବାସ୍ୟା ଦିନ ‘ମହାଳୟ’ ନିବାସୀ ସେହି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ କରାଯାଉଥିବାରୁ, ଏହାର ନାମ ‘ମହାଳୟା’। ପରପକ୍ଷର ଶ୍ରାଦ୍ଧ ର ଶେଷ ଦିନଟି ହେଉଛି ମହାଳୟା ଅମାବାସ୍ୟା l ଏହିଦିନଟିର ହିନ୍ଦୁ ଧର୍ମରେ ଅନେକ ମହତ୍ୱ ରହିଛି l ଏହିଦିନ ସମସ୍ତ ପୂର୍ବଜଙ୍କ ଶ୍ରାଦ୍ଧ କରାଯାଇ ଥାଏ ଯାହାଙ୍କର ମୃତ୍ୟୁର ତାରିଖ ତିଥି ଇତ୍ୟାଦି ଆମେ ଜାଣିନଥାଉ l ଚଳିତଥର ସର୍ବପିତୃ ଅମାବାସ୍ୟା ସହିତ ମହାଳୟା ଅମାବାସ୍ୟା ଅକ୍ଟୋବର ୧୪ ତାରିଖ ଅର୍ଥାତ୍ ଆଜି ଅନୁଷ୍ଠିତ ହେବ l କିମ୍ବଦନ୍ତୀ ଅନୁସାରେ, ମହାଦାନୀ କର୍ଣ୍ଣଙ୍କୁ ସ୍ୱର୍ଗପୁରରେ ପୁରସ୍କାର ଭାବେ ବହୁତ ସୁନା ରୂପା ଅଳଙ୍କାର ମିଳିଥିଲା । ମାତ୍ର ତାଙ୍କୁ ଖାଦ୍ୟ ଦିଆଯାଇ ନ ଥିଲା । ଯାହାର ମୁଖ୍ୟ କାରଣ ଥିଲା ଜୀବନ କାଳ ମଧ୍ୟରେ ସେ କେବେ ହେଲେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ଅନୁରୋଧ କରି ସେ ୧୪ ଦିନ ପାଇଁ ମର୍ତ୍ତ୍ୟପୁରକୁ ଆସି ବ୍ରାହ୍ମଣ ଓ ଗରିବମାନଙ୍କୁ ଅନ୍ନଦାନ କରିଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା “ପିତୃପକ୍ଷ” । ମହାଳୟା ଶ୍ରାଦ୍ଧ ଦିନ କଦଳୀ ପତ୍ରରେ ଚାଉଳ, କଦଳୀ, ରାଶି, ଫୁଲ, ଚନ୍ଦନ ଓ ତୁଳସୀ ପତ୍ର ଆଦି ଦେଇ ପୂର୍ବପୁରୁଷଙ୍କୁ ତର୍ପଣ କରାଯାଏ ।

ମହାଳୟାରେ ଶ୍ରୀକ୍ଷେତ୍ରରେ ପିଣ୍ଡଦାନ କର୍ମ ହୋଇଥାଏ। ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ ବଳଦ ଯାତ୍ରାର ଆରମ୍ଭ ହୋଇଥାଏ । ଏହି ଦିନ ସମ୍ବଲପୁରରେ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ହୋଇଥାଏ। ବର୍ଷକରେ ମା’ ଥରେ ଏହି ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ମହାଳୟା ପରଦିନରୁ ନବରାତ୍ରୀ ପୂଜା ଆରମ୍ଭ ହୋଇଥାଏ। ମା’ ଜଗତ୍‌ଜନନୀ ଦୁର୍ଗାଙ୍କର ଆଗମନର ଶୁଭଲଗ୍ନ ମହାଳୟା ସହ ଆରମ୍ଭ େହାଇ ପାର୍ବଣର ଉତ୍ସବମୁଖର ହେବାକୁ ପ୍ରସ୍ତୁତ ହୁଏ ।

Leave A Reply

Your email address will not be published.