ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ରେଖା ପଞ୍ଚମୀ ତଥା ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେବେ ଏହି ବିଶେଷ ନୀତି ସମୟରେଠାକୁରଙ୍କ ଦର୍ଶନ କଟକଣା ରହିଥାଏ । ଦଇତାପତି ସେବକମାନେ ଏହି ସ୍ୱତନ୍ତ୍ର ସେବା ସମ୍ପନ୍ନ କରିବେ ।
ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାଶ୍ୱର୍ରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା ଲାଗି ସରିଲେ ଠାକୁରଙ୍କ ମହାସ୍ନାନ ନୀତି ବଢି ଯଥାବିଧି ଦର୍ଶନ ଆରମ୍ଭ ହେବ । ତେବେ ସୋମବାରର ନୀତିକୁ ଚାହିଁ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।