ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି: କିଏ ହେବେ ରାଷ୍ଟ୍ରପତି ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଦେଶ ପାଇବ ନୂଆ ରାଷ୍ଟ୍ରପତି । ଦେଶର ୧୫ତମ ରାଷ୍ଟ୍ରପତି ପଦ ପାଇଁ ୧୮ ତାରିଖରେ ଅନୁଷ୍ଠିତ ନିର୍ବାଚନର ଭୋଟ ଗଣତି ଆଜି କରାଯିବ। ଗୁରୁବାର ପୂର୍ବାହ୍ଣ ୧୧ଟାରୁ ଗଣତି ଆରମ୍ଭ ହେବ। ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ବିଜେଡି, ୱାଇଏସଆର କଂଗ୍ରେସ, ଅକାଳୀ ଦଳ, ଜେଏମ୍ଏମ୍, ଶିବସେନା ଭଳି ଦଳ ଗୁଡିକ ସମର୍ଥନ ଦେଇଥିବାରୁ ଫଳାଫଳ ତାଙ୍କ ସପକ୍ଷରେ ଯିବା ଆଶା କରାଯାଉଛି। ଏହା ହେଲେ ଦେଶବାସୀ ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ରୂପେ ରାଇସିନା ହିଲ୍ରେ ଦେଖିବ।

ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀ ବିଭିନ୍ନ ରାଜ୍ୟରୁ ଆସିଥିବା ବାଲଟ ପେପର ଗୁଡିକୁ ତାଲିକାଭୁକ୍ତକରି ଭଲ ଭାବେ ଯାଞ୍ଚ କରିବେ। ସାଂସଦମାନେ ସେମାନଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀଙ୍କୁ ସବୁଜ କାଳି(ଗ୍ରୀନ ପେନ୍) ଦ୍ୱାରା ଚୟନ କରିଥିବା ବେଳେ ବିଧାୟକମାନେ ଗୋଲାପୀ କାଳିରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସଂସଦର ଭୋଟ ଗଣତି କୋଠରୀରେ ଦୁଇଟି ଟ୍ରେ ରହିବ। ଦୁଇଜଣ ପ୍ରାର୍ଥୀ ଥିବାରୁ ଗୋଟିଏ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଉ ଗୋଟିଏ ଯଶୱନ୍ତ ସିହ୍ନାଙ୍କ ପାଇଁ ରହିବ। ପ୍ରଥମେ ବିଧାୟକ ମାନଙ୍କ ବାଲଟ ପେପର ସର୍ଟଲିଷ୍ଟ କରାଯିବା ପରେ ସାଂସଦଙ୍କ ବାଲଟ ପେପର ଏକାଠି କରାଯାଇ ଗଣତି ହେବ।

ଏଥିପାଇଁ ସଂସଦ ଭବନର ୭୩ ନମ୍ବର କୋଠରୀ ବାହାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଗଣତି ଆରମ୍ଭ ହେବା ପରେ ଗଣମାଧ୍ୟମକୁ ନିୟମିତ ସୂଚନା ଦିଆଯିବ। ତେଣୁ ଏନଡିଏର ବହୁମତ ଥିବାରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ଥୟ ହୋଇସାରିଛି । ତେଣୁ ଔପଚାରିକ ଭାବେ କାହା ନାଁ ଘୋଷଣା କରାଯାୁଛି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.