ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଟ୍ରମ୍ପଙ୍କୁ ଜରିମାନା । କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ କଥାଟି ସମ୍ପୂର୍ଣ୍ଣ ଭିନ୍ନ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାର ତଦନ୍ତରେ ସହଯୋଗ କରୁ ନଥିବା ଅଭିଯୋଗରେ ନ୍ୟୁୟର୍କ ବିଚାରପତି ତାଙ୍କୁ ଭାରତୀୟ ମୁଦ୍ରାରେ ୮୫ ଲକ୍ଷ ୬୦ହଜାର ଟଙ୍କା (୧୧୦,୦୦୦ଡଲାର) ଜୋରିମାନା କରିଛନ୍ତି। ଟ୍ରମ୍ପଙ୍କ ବିରୋଧରେ ଟିକସ ଫାଙ୍କି ଓ ସରକାରୀ ଅଧିକାରୀଙ୍କୁ ଭୁଲ୍ ଅର୍ଥନୈତିକ ସୂଚନା ପ୍ରଦାନ ଅଭିଯୋଗ ହୋଇଥିଲା। ଏ ନେଇ ସେ ଅଦାଲତକୁ ମଧ୍ୟ ସହଯୋଗ କରୁ ନ ଥିଲେ।
ଏ ସମ୍ପର୍କିତ ମାମଲାର ଶୁଣାଣି କରି ବିଚାରପତି ଅର୍ଥର ଏନ୍ଗୋରୋନ୍ ଅଦାଲତ ଅବମାନନା ଅଭିଯୋଗକ୍ରମେ ଗତ ମାସରେ ତାଙ୍କୁ ଦୈନିକ ୧୦ହଜାର ଡଲାର ଜୋରିମାନା ଦେବାକୁ ନିର୍ଦେଶ ଦେଇଥିଲେ। ଗତ ସପ୍ତାହରେ ଟ୍ରମ୍ପଙ୍କ ପକ୍ଷରୁ ଅଦାଲତ ଚାହିଁବାନୁସାରେ ନଥିପତ୍ର ଦାଖଲ କରାଯିବା ପରେ ଏହି ଦଣ୍ଡାଦେଶ ସ୍ଥଗିତ ରହିଥିଲା; କିନ୍ତୁ ବିଚାରପତି ମେ ୨୦ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ଏହା କାର୍ୟ୍ୟକାରୀ ନ ହେବାରୁ ଟ୍ରମ୍ପଙ୍କ ବିରୋଧରେ ୧ଲକ୍ଷ ୧୦ହଜାର ଡଲାର ଜୋରିମାନା ଆଦେଶ ଦେଇଛନ୍ତି।