ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା। ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମ ଦୁର୍ଘଟଣାଟି ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍ ନିକଟରେ ଘଟିଥିବା ବେଳେ ଅନ୍ୟଟି ବରମୁଣ୍ଡା କାଳୀ ମନ୍ଦିର ନିକଟରେ ଘଟିଛି | ତେବେ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା।
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ବାଲିଅନ୍ତାର ବିଶ୍ୱଜିତ ରାୟ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ବରମୁଣ୍ଡା କାଳୀ ମନ୍ଦିର ନିକଟରେ ମଧ୍ୟ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ୱିତ ରାତିରେ ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ ଏକ କାର୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁଇଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ରାୟଗଡ଼ା ଅମ୍ବାଦଳା ଥାନା ବନ୍ଧଗୁଡ଼ା ଗାଁ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି।
ଜଣେ ବ୍ୟକ୍ତି କାରରେ ଚାପି ହୋଇ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ୩ ଗୁରୁତରଙ୍କୁ ମୁନିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଆନ୍ଧ୍ରପ୍ରଦେଶ କାକ୍କିନାଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ସମସ୍ତେ ବରଗଡ଼ ଆସିଥିଲେ । ବରଗଡ଼ରୁ ଫେରିବା ବାଟରେ ଭୋର ପ୍ରାୟ ୩ଟାରୁ ୪ଟା ଭିତରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଅମ୍ବାଦଳା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି।