ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ରିଟିଶ ଶାସନ କାଳରୁ ଦେଶରେ ପ୍ରଚଳିତ ଫୌଜଦାରି ଆଇନର ଅନ୍ତ ଘଟିଛି । ଆଜିଠୁ ଦେଶରେ ଲାଗୁ ହୋଇଛି ତିନି ନୂଆ ଅପରାଧିକ ଆଇନ୍ । ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ। ଫଳରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ସମଗ୍ର ଦେଶରେ ଲାଗୁ ହୋଇ ଆସୁଥିବା ଇଂରେଜ ଅମଳର ଏହି ପୁଲିସ ଆଇନ ଆଜି ଇତିହାସ ପାଲଟି ଯାଇଛି । ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR ଆଜି ସକାଳେ ଦିଲ୍ଲୀରେ ରୁଜୁ ହୋଇଛି।
ଦିଲ୍ଲୀ କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ବିରୋଧରେ ମାମଲା ହୋଇଛି। ଏକ ଫୁଟ୍ ଓଭର ବ୍ରିଜ ଅବରୋଧ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। IPC ପରିବର୍ତ୍ତେ ‘ଭାରତୀୟ ନ୍ୟାୟ ସଂହିତା’, CRPC ପରିବର୍ତ୍ତେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’, ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ‘ଭାରତୀୟ ସାକ୍ଷ ଅଧିନିୟମ’ ଲାଗୁ ହୋଇଛି । ନୂଆ ଅପରାଧିକ ଆଇନ ବ୍ୟବସ୍ଥା ଲାଗୁ ହେବା ପରେ ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR ହୋଇଛି । କମଳା ମାର୍କେଟ ଥାନାରେ ଜଣେ ଉଠା ଦୋକାନୀଙ୍କ ବିରୋଧରେ ମାମଲା ହୋଇଛି | ‘କ୍ରିମିନାଲ୍ ପ୍ରୋସିଜିଓର କୋଡ୍’ ପରିବର୍ତ୍ତେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଏବଂ ‘ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ’ ପରିବର୍ତ୍ତେ ଆସିବ ‘ଭାରତୀୟ ସାକ୍ଷ୍ୟ ଅଧିନିୟମ’।
ଚଳିତ ବର୍ଷ ଜାନୁଆରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ତିନୋଟି ଆପରାଧିକ ଆଇନ ପ୍ରଣୟନ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ। ନୂଆ ଆପରାଧିକ ଆଇନ ‘ପ୍ରଥମେ ନାଗରିକ, ପ୍ରଥମେ ସମ୍ମାନ ଓ ପ୍ରଥମେ ନ୍ୟାୟ’ ଭାବନାରେ ପ୍ରସ୍ତୁତ କରାଯାଇଛି ଏବଂ ପୁଲିସକୁ ଏବେ ‘ଲାଠି’ ପରିବର୍ତ୍ତେ ‘ଡାଟା’ ସହିତ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ନୂଆ ଆପରାଧିକ ଆଇନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ଗୃହ ମନ୍ତ୍ରଣାଳୟ ପୁଲିସ, ଜେଲ, ପ୍ରସିକ୍ୟୁଟର, ନ୍ୟାୟିକ, ଫରେନସିକ୍ କର୍ମଚାରୀ ଓ ସାଧାରଣ ଜନତାଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ ହୋଇଥିଲା।