ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର୍ (ଏନଏସଏ) ଅଜିତ ଡୋଭାଲଙ୍କ ବାସଭବନରେ ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।ତେବେ କଡା ସୁରକ୍ଷା ହେତୁ ଅଭିଯୁକ୍ତ ଅଜିତ ଡୋଭାଲଙ୍କ ଘରେ ପ୍ରବେଶ କରିପାରିନଥିଲା। ଘଟଣାସ୍ଥଳରେ ସୁରକ୍ଷା ବାହିନୀ ଅଭିଯୁକ୍ତକୁ ଅଟକାଇ ତାଙ୍କୁ ଅଟକ ରଖିଥିଲେ।
ଦିଲ୍ଲୀ ପୋଲିସର ସୂତ୍ରରୁ ଜଣାପଡିଛି ଯେ ଅଭିଯୁକ୍ତକୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ଅଭିଯୁକ୍ତ ଜଣକ କର୍ଣ୍ଣାଟକର ବାସିନ୍ଦା ବୋଲି କୁହାଯାଉଛି। ଦିଲ୍ଲୀ ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଉକ୍ତ ବ୍ୟକ୍ତି ଜଣକ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ବ୍ୟକ୍ତି ଜଣକ ଏକ ଭଡା କାର୍ ଚଳାଉଥିଲେ।ଅଜିତ ଡୋଭାଲ ସର୍ବଦା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛନ୍ତି। ତେବେ ସତରେ ଅଭିଯୁକ୍ତ ଜଣକ ମାନସିକ ବିକୃତ ନା ଆତଙ୍କବାଦୀ ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଉତ୍ତରପ୍ରଦେଶର ପୌରୀ ଗରୱାଲରେ ଜନ୍ମଗ୍ରହଣ କରିଥିବା ଏନଏସଏ ଅଜିତ ଡୋଭାଲ ମୋଦୀ ସରକାରଙ୍କ ସବୁଠାରୁ ଶକ୍ତିଶାଳୀ ଏବଂ ବିଶ୍ୱସ୍ତ ଅଧିକାରୀଙ୍କ ମଧ୍ୟରେ ଜଣେ। ଅଜିତ ଡୋଭାଲ କେରଳ କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ। ୨୦୦୫ ରେ, ଡୋଭାଲ୍ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ର ନିର୍ଦ୍ଦେଶକ ଭାବରେ ଅବସର ନେଇଥିଲେ। ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ବୋଲି କୁହାଯାଏ। ଡୋଭାଲ୍ ଇଣ୍ଡିଆର ଜେମ୍ସ ବଣ୍ଡ ଭାବରେ ମଧ୍ୟ ଜଣାଶୁଣା।