ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ହାତରେ ପଡ଼ିବାର ଆଠ ବର୍ଷ ପରେ ନିଲମ୍ବିତ ହେଲେ ବିଡିଓ। କୋରାପୁଟସ୍ଥିତ ନାରାୟଣପାଟଣାର ପୂର୍ବତନ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ରମେଶ ଚନ୍ଦ୍ର ସାହୁଙ୍କୁ ସୋମବାର ଦିଲ୍ଲୀରେ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସାତୋଟି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ସହ ସାହୁ ଆଠ ବର୍ଷ ଧରି ଆଇନଗତ ପ୍ରକ୍ରିୟାକୁ ଏଡାଇବାକୁ ଯାଇ ଫେରାର ଥିଲେ। ଏବେ କିନ୍ତୁ ଭିଜିଲାନ୍ସ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଦିଲ୍ଲୀର ଏକ କୋର୍ଟରେ ରମେଶ ଚନ୍ଦ୍ର ସାହୁଙ୍କୁ ହାଜର କରାଯିବା ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯିବ ବୋଲି ସୂଚନା ରହିଛି। ବ୍ଲକରେ ବିକାଶ ପ୍ରକଳ୍ପ ପାଇଁ ଆସିଥିବା ୪୭ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ବିଡିଓଙ୍କୁ ମାର୍ଚ୍ଚ ୨୦୧୫ରେ ରାଜ୍ୟ ସରକାର ନିଲମ୍ବିତ କରିଥିଲେ। ନିଲମ୍ବିତ ହେବା ବେଳେ ରମେଶ ଚନ୍ଦ୍ର ସାହୁ ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ବିଡିଓ ଭାବେ କାର୍ଯ୍ୟରତ ଥିଲେ।
କୋରାପୁଟ ପ୍ରଶାସନ ପକ୍ଷରୁ ସରକାରଙ୍କୁ ସୁପାରିସ କରାୟିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଜିଲ୍ଲାପାଳ (କୋରାପୁଟ) ଯାମିନୀ ଷଡ଼ଙ୍ଗୀ ସେହି ସମୟରେ କହିଥିଲେ, ବିଡିଓଙ୍କୁ ନିଲମ୍ବନ ନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଚିଠି ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୧୫ ଫେବୃଆରୀ ମାସରେ ତଦନ୍ତ ବେଳେ କୋରାପୁଟ ପ୍ରଶାସନ ନାରାୟଣ ସାହୁଙ୍କ ସମେତ ନାରାୟଣପାଟଣାର ବ୍ଲକର ୮ ଅଧିକାରୀଙ୍କ ଦୁର୍ନିତୀରେ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ୨୦୧୧-୧୨ ଓ ୨୦୧୨-୧୩ ବର୍ଷରେ ବ୍ଲକକୁ ଚେକ୍ ଡ୍ୟାମ୍, ଅଙ୍ଗନବାଡି କେନ୍ଦ୍ର, ରାସ୍ତା ଓ ଡାଇଭର୍ସନ ଓ୍ୱାଇର ନିର୍ମାଣ ଭଳି ବିଭିନ୍ନ ପ୍ରକଳ୍ପ ପାଇଁ ସରକାର ଅର୍ଥ ଆବଣ୍ଟନ କରିଥିଲେ। ପ୍ରକଳ୍ପ କାମ ଆରମ୍ଭ ପାଇଁ ବିଭାଗୀୟ ଅଧିକାରୀମାନେ ଆଗୁଆ ଅର୍ଥ ଆଣିଥିଲେ ମଧ୍ୟ କୌଣସି କାମ ହୋଇ ନ ଥିଲା। ନାରାୟଣ ସାହୁଙ୍କ ବ୍ୟତୀତ ନିଲମ୍ବିତ ହୋଇଥିବା କର୍ମଚାରୀମାନେ ହେଲେ ଗ୍ରାମପଞ୍ଚାୟତ ବୈଷୟିକ ସହାୟକ ଓ ସାତଜଣ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ।