ପ୍ରଦୀପ କୁମାର ରଥଙ୍କୁ ବାନ୍ଧିଲା ଭିଜିଲାନ୍ସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଯେତେ ଖୋଲିଲେ ସେତେ ବାହାରୁଛି। ଭିଜିଲାନ୍ସ ରେଡରୁ ଫିଟୁଛି ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜବୁ। କୋଟିଏ ୩୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ମିଳିଛି | ତାଙ୍କ ଘରୁ ଏକ କେଜିର ସୁନା ଅଳଙ୍କାର, ୩୦୦ ଗ୍ରାମ ରୁପା, ୧ କୋଟି ୩୮ ଲକ୍ଷ ଟଙ୍କାର ଜମା, ୪୨ଟି ପ୍ଲଟ୍ ସମେତ ମୂଲ୍ୟବାନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି।

କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଆଖି ଖୋସି ହେଲା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇ ଯାଇଛନ୍ତି। ଆର୍‌ଆଣ୍ଡବି (କଟକ ସର୍କଲ୍‌)ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଭିଜିଲାନ୍ସ ସ୍କାନର୍‌ରେ ରଖିଥିଲା।

କଟକ ଭିଜିଲାନ୍ସ ସ୍ପେସାଲ୍‌ ଜଜ୍‌ଙ୍କ ପକ୍ଷରୁ ଜାରି ସର୍ଚ୍ଚ ଵାରେଣ୍ଟ ବଳରେ ୯ ଡିଏସ୍‌ପି, ୧୧ ଇନ୍‌ସ୍ପେକ୍ଟର୍‌ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ଘର, ପୈତୃକ ଘର ଓ ଅଫିସ୍ ସମେତ ୧୨ଟି ଠିକଣାରେ ଏକାସଙ୍ଗେ ପଞ୍ଝା ମାରିଥିଲା। ଗତ ସପ୍ତାହ ଭିତରେ ୧୦ରୁ ଅଧିକ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଲେଣି।

Comments are closed.