ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଆହୁରି 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ ବର୍ଷା ସହ ବିଜୁଳି, ଘଡଘଡି ସମ୍ଭାବନା ରହିଛି । ଆହୁରି ୩ ଦିନ ବର୍ଷିବ।
କିଛି ସ୍ଥାନରେ ମୂଷଳଧାରାରେ ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି। ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲି ବି ଜାରି ରହିବ ପ୍ରଭାବ। କାଲି ୧୯ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ। ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।
ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଓ ଘଡଘଡି ହୋଇପାରେ । ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ବର୍ଷା ନେଇ ଆଲର୍ଟ କରାଯାଇଛି । ଆସନ୍ତା 8 ତାରିଖରେ 4ଟି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।