ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ଖୁବଶୀଘ୍ର ଚାଲିବ ବୁଲେଟ ଟ୍ରେନ୍ । ଏନେଇ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଆଶା କରାଯାଉଛି ଯେ ୨୦୨୬ସୁଦ୍ଧା ଦେଶରେ ପ୍ରଥମ ବୁଲେଟ ଟ୍ରେନ ଚାଲିବ। ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁଥିବା ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ କାର୍ୟ୍ୟ ଦୀର୍ଘ ଦିନ ଧରି ଚାଲି ରହିଛି। ନିକଟରେ ଏକ କାର୍ୟ୍ୟକ୍ରମ ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ବୁଲେଟ୍ ଟ୍ରେନ ସେବା ଦେଶରେ ୨୦୨୬ମସିହାରୁ ଆରମ୍ଭ ହେବ। ଯାତ୍ରୀଙ୍କ ସୁବିଧା ପାଇଁ ସରକାର ଦିନରାତି କାର୍ୟ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।
ତେବେ ବୁଲେଟ ଟ୍ରେନ ଆସିବା ଆଗରୁ ଏଥିରେ ଯାତ୍ରା କରିବାକୁ କେତେ ଭଡା ଦେବାକୁ ପଡିବ ଏହି ବିଷୟରେ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଥିଲେ ଯେ ଏପର୍ୟ୍ୟନ୍ତ ଭଡା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଏହା ଲୋକମାନଙ୍କ ସ୍ୱାର୍ଥରେ ରହିବ। ଏଥିପାଇଁ ପ୍ରଥମ ଏସିର ଆଧାର ତିଆରି କରାଯାଉଛି, ଯାହା ଅଧିକ ନୁହେଁ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ବୁଲେଟ୍ ଟ୍ରେନର ଭଡା ପ୍ରଥମ ଶ୍ରେଣୀ ଏସି ସହିତ ସମାନ ହେବ।
ବିମାନ ଅପେକ୍ଷା ବୁଲେଟ୍ ଟ୍ରେନ୍ ଭଡା କମ୍ ହେବ: ରେଳ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବୁଲେଟ୍ ଟ୍ରେନର ଭଡା ବିମାନଠାରୁ କମ୍ ହେବ ଏବଂ ଏଥିରେ ଭଲ ସୁବିଧା ମଧ୍ୟ ରହିବ। ତେବେ ପ୍ରକଳ୍ପ ଶେଷ ହେବା ପରେ ହିଁ ଭଡା ସ୍ଥିର କରାଯିବ ବୋଲି ସେ କହିଛନ୍ତି। ଦେଶର ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ନେଇ ସରକାର ଅତ୍ୟନ୍ତ ଗମ୍ଭୀର। ଦ୍ୱିତୀୟ ହାଇ ସ୍ପିଡ୍ ରେଳ ପ୍ରକଳ୍ପ କେବଳ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ ପ୍ରକଳ୍ପ ଶେଷ ହେବା ପରେ ଆରମ୍ଭ ହେବ।