କାହିଁକି ଅଧା ବାଟରେ ଅଟକିଗଲା ରଥ ? ଚାଲିଛି କାରଣ ଖୋଜା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗତକାଲି ଠିକ୍ ସମୟରେ ନୀତିକାନ୍ତି ସରିବା ସତ୍ତ୍ବେ ବି କାହିଁକି ତାଳଧ୍ୱଜକୁ ଛାଡ଼ି ଦେଲେ ଅନ୍ୟ ୨ ରଥ ପହଞ୍ଚି ପାରିଲାନି ଶରଧାବାଲି । ତାକୁ ନେଇ ନାନା ମତ ପ୍ରକାଶ ପାଇଥିବା ବେଳେ ଆଜି ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଶରଧାବାଲିକୁ ଟାଣି ନେଇଛନ୍ତି ଭକ୍ତ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ମା ସୁଭଦ୍ରାଙ୍କ ରଥ ବଳଗଣ୍ଡି ଛକରେ ଅଟକି ରହିଥିଲା । ନନ୍ଦିଘୋଷ ରଥ ବଗଲା ଧର୍ମଶାଳା ପାଖରେ ଅଟକି ରହିଥିଲା । ଆଜି ସକାଳେ ରଥଟଣା ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ଶରଧାବାଲିରେ ପହଞ୍ଚିଛି ୩ ରଥ । ଆଜି ଠାକୁର ରାତିରେ ରହିବେ । ଆସନ୍ତାକାଲି ଅପରାହ୍ଣ ପରେ ଜନ୍ମବେଦୀକୁ ବିଜେ କରିବେ ଶ୍ରୀଜୀଉ । ଶ୍ରଦ୍ଧାଳୁ ଆଜି ଓ ଆସନ୍ତାକାଲି ରଥରେ ଠାକୁରଙ୍କ ଦର୍ଶନ କରି ପାରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଯେହେତୁ ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ, ତେଣୁ ଆଡ଼ପ ଅବଢ଼ା ଶୁକ୍ରବାର ବାହାରିବ ।

ତେବେ ରଥ କାହିଁକି ଶରଧା ବାଲିରେ ପହଞ୍ଚି ପାରିଲାନି । ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଠିକ୍ ସମୟରେ ନୀତିକାନ୍ତି ସରିଥିଲା । ବୋଧ ହୁଏ ଠାକୁର କେଉଁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାଟରେ ଅଟକି ଗଲେ ତାହା କହି ହେବ ନାହିଁ । ସମସ୍ତ ବିଷୟରେ ତର୍ଜମା କରାଯିବ ବୋଲି ରଞ୍ଜନ ଦାସ କହିଛନ୍ତି । ତେବେ ଚର୍ଚ୍ଚା ହେଉଛି, ରଥଯାତ୍ରା ସମୟରେ କୁଆଡ଼େ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଲା । ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପଛର କାରଣ ଯାହା ବି ହେଉନା କାହିଁକି ଏହା ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.