‘ଆଧୁନିକ ଭାରତର ମହାତ୍ମା ଗାନ୍ଧି ରାହୁଲ୍‌’ କାହିଁକି ଏମିତି କହିଲେ ବିଧାୟକ, ଜାଣନ୍ତୁ…

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ‘ଆଧୁନିକ ଭାରତର ମହାତ୍ମା ଗାନ୍ଧି ହେଉଛନ୍ତି ରାହୁଲ୍‌ ଗାନ୍ଧି । ଏପରି କହିଛନ୍ତି ଛତିଶଗଡ଼ର କଂଗ୍ରେସ ନେତା ତଥା ବିଧାୟକ ଅମିତେଶ ଶୁକ୍ଳା । ୨୦୧୮ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଶୁକ୍ଳା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ କହିଛନ୍ତି, ରାହୁଲ୍‌ ଗାନ୍ଧି ହେଉଛନ୍ତି ଆଧୁନିକ ଭାରତର ମହାତ୍ମା ଗାନ୍ଧି। ମହାତ୍ମା ଗାନ୍ଧିଙ୍କର ତାଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି। ରାହୁଲ୍‌ ଗାନ୍ଧି ‘ଭାରତ ଯୋଡ଼ୋ ଯାତ୍ରା’ର ନେତୃତ୍ବ ନେଇଥିବା ବ‌େଳେ ମହାତ୍ମା ଗାନ୍ଧୀ ଦାଣ୍ଡିଯାତ୍ରାର ନେତୃତ୍ବ ନେଇଥିଲେ। ରାହୁଲ୍‌ ଗାନ୍ଧୀଙ୍କୁ ଶୁକ୍ଳା ‘ରାଷ୍ଟ୍ରୀୟ ପୁତ୍ର’ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବୁଝିବିଚାରି ଏଭଳି ମନ୍ତବ୍ୟ ଦେଉଛି। ମୁଁ ସ୍ବାଧୀନତା ସଂଗ୍ରାମୀ ପରିବାରର ପିଲା। ମୋ ବାପା (ଅବିଭକ୍ତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ୟାମଚରଣ ଶୁକ୍ଳା) ଏବଂ ଦାଦାଙ୍କ (ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଚରଣ ଶୁକ୍ଳ) ଠାରୁ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଯାହା ଶୁଣିଛି, ମୋର ମନେହୁଏ ମହାତ୍ମା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କେତେଗୁଡ଼ିଏ ସାମଞ୍ଜସ୍ୟ ଅଛି। ସେ ପୁଣି କହିଛନ୍ତି ଯେ, ମହାତ୍ମା ଗାନ୍ଧି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ପାରି ଥାଆନ୍ତେ, କିନ୍ତୁ ହେଲେ ନାହିଁ। ସେହିପରି, ରାହୁଲ୍‌ ଗାନ୍ଧି ୨୦୦୪ ଓ ୨୦୦୮ରେ ପ୍ରଧାନମନ୍ତ୍ରୀ ହୋଇ ପାରିଥାଆନ୍ତେ, କିନ୍ତୁ ହେଲେ ନାହିଁ। ମହାତ୍ମା ଗାନ୍ଧି ଦାଣ୍ଡି ଯାତ୍ରାରେ ଅନେକ ବାଟ ଚାଲିଲା ପରି ରାହୁଲ୍‌ ମଧ୍ୟ ଭାରତ ଯୋଡ଼ୋ ଯାତ୍ରାରେ ଅନେକ ବାଟ ଚାଲି ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଛନ୍ତି। ସତ୍ୟ ଅସ୍ତ୍ର ବଳରେ ମହାତ୍ମା ଗାନ୍ଧି ‘ବ୍ରିଟିସ୍‌ ସାମ୍ରାଜ୍ୟ’ର ଅବସାନ ଘଟାଇବା ପରି ରାହୁଲ୍‌ ଗାନ୍ଧୀ ମଧ୍ୟ ନିର୍ଭୟରେ ସତ୍ୟ କହନ୍ତି। ଆଦାନି ସେୟାର୍‌ ମାମଲାର ଦୃଷ୍ଟାନ୍ତ ଦେଇ ଶୁକ୍ଳା ରାହୁଲ୍‌ଙ୍କ ସତ୍ୟବାଦିତା କଥା କହିଛନ୍ତି। ଶୁକ୍ଳାଙ୍କ ବିବୃତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ‘ବିଜେପି’ ସାଂସଦ ସନ୍ତୋଷ ପାଣ୍ଡେ କହିଛନ୍ତି ଯେ, ଛତିଗଡ଼ କଂଗ୍ରେସର ବିଦ୍ୟାବୁଦ୍ଧି ଲୋପ ପାଇଲାଣି।

ସେପଟେ ଲୋକସଭା ସାଂସଦ ସଭ୍ୟପଦ ଯିବା ପରେ ରକ୍ତମୁଖା ହୋଇପଡ଼ିଛନ୍ତି ରାହୁଲ । ଲୋକସଭା ସଦସ୍ୟତା ରଦ୍ଦ ପଛରେ ବିଜେପିର ଷଡଯନ୍ତ୍ର ବୋଲି ସେ ଦାବି କରିଆସୁଛନ୍ତି । ସେ ଆହୁରି ବି କହିଛନ୍ତି ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି । ଏହି ଗଣତନ୍ତ୍ର ପାଇଁ ମୁଁ ଲଢେଇ କରୁଛି ଓ ଆଗକୁ ମଧ୍ୟ ଲଢେଇ ଜାରିରଖିବି । କେହି ମୋତେ ଧମକାଇ ଚୁପ୍ କରିପାରିବେନି ବୋଲି ରାହୁଲି ଉତର ରଖିଛନ୍ତି । ସେହିପରି ମୋଦୀ-ଆଦାନୀ ସମ୍ପର୍କ ନେଇ ପୁଣି ଥରେ ଚିହିଁକି ଉଠିଛନ୍ତି ରାହୁଲ । ମୋଦୀ-ଆଦାନୀଙ୍କ ସମ୍ପର୍କ କ’ଣ ତାହା ଜଣାଇବାକୁ ଆହ୍ୱାନ ଦେଇଛନ୍ତି । ଆଦାନୀଙ୍କ ସେଲ୍ କମ୍ପାନୀରେ ଲାଗିଥିବା ୨୦ହଜାର କୋଟି କାହାର ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍ ପରେ ପାଲଟା ପ୍ରେସମିଟ୍ କରି ଜବାବ ଦେଇଛି ବିଜେପି । ବିଜେପି ନେତା ରବିଶଙ୍କର ପ୍ରସାଦ ଅଭିଯୋଗ କରି କହିଛନ୍ତି, ରାହୁଲ ଗାନ୍ଧୀ ଅଭ୍ୟାସଗତ ମିଛୁଆ । ପଛୁଆବର୍ଗକୁ ଅପମାନିତ କରି, ମାମଲା ହୋଇଥିଲା । ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆସିବ କି ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କର ପ୍ରସାଦ । ସେହିପରି ରାହୁଲ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଠା କରୁଥିବା ସେ ଅଭିଯୋଗ ଆଣିିବା ସହ ବିଜେପି ରାହୁଲଙ୍କ ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ କରିବା ନେଇ କହିଛନ୍ତି ରବିଶଙ୍କର ପ୍ରସାଦ ।

Leave A Reply

Your email address will not be published.