ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତି ଘଟିଛି। ସ୍ବାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ ହୋଇଛି। ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୨, ପ୍ରଫୁଲ୍ଲ ନଗର ଅଞ୍ଚଳର ଡୁଟୁସାହିରେ ଉକ୍ତ ଘଟଣା ଘଟିଛି। ମୃତ ସ୍ତ୍ରୀ ଜଣକ ହେଲେ ସୁନା ସିଂ ଙ୍କ ପତ୍ନୀ ଯମୁନା ସିଂ। ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା।
ଗତ ସୋମବାର ରାତିରେ କୋଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। କଥା କଟାକଟିକୁ ନେଇ ସ୍ୱାମୀ ସୁନା ସିଂ ଉତକ୍ଷିପ୍ତ ହୋଇ ତାଙ୍କ ପତ୍ନୀ ଯମୁନା ସିଂ ଙ୍କୁ ନିସ୍ତୁକ ପିଟାମରା କରିଥିଲେ। ଏହା ଦ୍ଵାରା ପତ୍ନୀ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ବୁଧବାର କଟକ ସ୍ଥିତ ଏସସିବି ହସ୍ପିଟାଲକୁ ସ୍ଥାନାତ୍ୱରିତ କରାଯାଇଥିଲା।
ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟ ହୋଇଥିଲା। ଏନେଇ ଯମୁନା ସିଂ ଙ୍କ ପରିବାର ଲୋକେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ କରାଯିବ ସହ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଅଭିଯୁକ୍ତ ସ୍ଵାମୀ ସୁନା ସିଂ ଫେରାର ଥିବା ନେଇ ସୂଚନା ମିଳିଛି।