ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଗୋଡଫୁଲା ଗାଁ ଦାଣ୍ଡରେ ବୁଲୁଛି ଜଙ୍ଗଲୀ ଭାଲୁ । ଆଜି ସକାଳୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଆସି ଗାଁ ଦାଣ୍ଡରେ ରହିଯାଇଛି । ଏବେ ଗାଁ ଲୋକେ ଭାଲୁ ଭୟରେ ଆତଙ୍କିତ ହୋଇ ପଡିଛନ୍ତି । ଆଜି ସକାଳୁ ସାଲିହା ଜଙ୍ଗଲରୁ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ ଗୋଡଫୁଲା ଗାଁକୁ ଚାଲି ଆସିଥିଲା । ଭାଲୁ ଗାଁ ଲୋକଙ୍କୁ ଦେଖି ଗାଁ ଦାଣ୍ଡକୁ ଚାଲି ଆସିଥିଲା । ବର୍ତ୍ତମାନ ସୁଦ୍ଧା ଗାଁ ଦାଣ୍ଡରେ ଘୁରି ବୁଲୁଛି । ଗାଁର ଯୁବକ ମାନେ ନଡ଼ିଆ, କଦଳୀ ଖାଇବାକୁ ଦେଉଛନ୍ତି । ଯୁବକଙ୍କ ହାତରୁ ଭୋକିଲା ଭାଲୁ ଖାଦ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି ।
ସୂଚନା ଥାଉକି, ସାଲିହା ଜଙ୍ଗଲକୁ ବନ ବିଭାଗ ଭାଲୁ କରିଡର ଘୋଷଣା କରିଛନ୍ତି । ଏହି ଜଂଗଲକୁ କଣ୍ଟାତାରରେ ପାଚେରୀ ଦେଇଥିଲା । ଏବେ ପାଚେରୀ ଭାଙ୍ଗି ଯାଇଥିବାରୁ ଭାଲୁ ସହଜରେ ବାହାରକୁ ଆସି ଗାଁ ମୁହାଁ ହେଉଛି । ଏହି ଜଙ୍ଗଲରେ ବନ ବିଭାଗ ତରଫରୁ ଭାଲୁର ଖାଦ୍ୟ ପାଇଁ ବ୍ୟବସ୍ଥା କରିନଥିବାରୁ ଗାଁରେ ପଶି ଖାଦ୍ୟ ସଂଗ୍ରହ କରୁଛି । ଏଭଳି ଅନେକ ସମୟରେ ନିକଟ ଗୋଡଫୁଲା ଗାଁକୁ ଭାଲୁ ପଶୁଥିବାର ନଜିର ରହିଛି । ତେବେ ଭାଲୁ ଲୋକଙ୍କ ହାତରୁ ଖାଦ୍ୟ ଖାଇ କାହାରି କିଛି କ୍ଷତି କରୁନଥିଲେ ମଧ୍ୟ କେତେବେଳେ ବି ଭାଲୁ ହିଂସ୍ର ହେବାର ଭୟ ରହୁଛି । ଏବେ ଭାଲୁ ଆକ୍ରମଣ ଭୟରେ ଲୋକଙ୍କ ଜୀବନ ପ୍ରତି ବିପଦ ରହୁଛି । ଏଣୁ ଭାଲୁକୁ ଖାଦ୍ୟ ଯୋଗାଇ ଦେବା ସହ ଭାଲୁ ଓ ଗାଁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗାଁ ଲୋକେ ଦାବି କରିଛନ୍ତି ।