ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ଚାଷୀ ତାତି।ବିଧାନସଭାରୁ ବିଜେଡି ବିଧାୟକମାନେ ଚାଲି ଚାଲି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। MSP ବୃଦ୍ଧି,ଉଷୁନା ଚାଉଳ ଉଠେଇବା, ଚାଷୀଙ୍କୁ ସାର ଠିକ ସମୟରେ ଯୋଗାଇ ନ ଦେବା,ଚାଷୀଙ୍କୁ ବୀମା ଅର୍ଥ ଦେବାରେ ବିଳମ୍ବ କରିବା ଆଦି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଚାଷୀଙ୍କୁ ନେଇ ଆରମ୍ଭରୁ ବିଧାନସଭା ହୁଲୁସ୍ତୁଲ ହୋଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ଉଭୟ ବିଜେପି,ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା ପାଟିତୁଣ୍ଡ କରିଥିଲେ । ପ୍ରବଳ ହଙ୍ଗାମା ହେବାରୁ ବାଚସ୍ପତି ପ୍ରଥମେ ୧୧.୩୦ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ।
ବିଧାନସଭାରୁ ବାହାରି ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ଧାରଣା ଦେଇଥିବା ବେଳେ ବିଜେପି ମଧ୍ୟ ଗୃହ ବାହାରେ ବ୍ୟାନର ପୋଷ୍ଟର ଧରି ବିକ୍ଷୋଭ କରିଥିଲେ । ତେବେ ବିଜେପି ଅଭିଯୋଗ କରିଛି ଯେ ଇନପୁଟ ସବସିଡି ବିଳମ୍ବରେ ଦେବା, ମଣ୍ଡି ଅବ୍ୟବସ୍ଥା, ୧୦୦ ଟଙ୍କାର ବୋନସ୍ ଓ ଫସଲ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁ ଚାଷୀ ହଇରାଣ ହେଉଛନ୍ତି ।
ସେପଟେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ସେହି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଶୁନ୍ୟକାଳରେ। ଦିନ ସାଢେ ଏଗାରଟା ବେଳେ ଗୃହ ଆରମ୍ଭ ହେବା ମାତ୍ରେ ହୋହଲ୍ଲା ଓ ନାରବାଜି ଚାଲିଥିଲା। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଏହା ପରେ ବିଜେଡି ବିଧାୟକ ମାନେ ଚାଲି ଚାଲି ରାଜଭବନ ଯାଇ ଫେରାଦ ହୋଇଥିବା ବେଳେ ବିଜେପି ବିଧାୟକ ମାନେ ବିଧାନସଭାରୁ ଚାଲି ଚାଲି ଦଳ ତରଫରୁ ଚାଷୀ ପ୍ରସଙ୍ଗରେ ଲୋୟର ପିଏମଜିରେ ଚାଲିଥିବା ଧାରଣା ସ୍ଥଳ ପର୍ଯ୍ୟନ୍ତ ଯାଇଥିଲେ।