ଓଡ଼ିଆ ନ୍ୟୁଜ୍: ଖସିଲା ପାରଦ, ବଢିଲା ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୯.୪ ଡିଗ୍ରି, ଚାନ୍ଦବାଲିରେ ୧୨.୨, ପାରାଦୀପରେ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ପାରଦ ରହିଛି ୧୨.୪ ଡିଗ୍ରି ସେଲସିୟସ୍ । ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଶୁକ୍ରବାର ରାତିରେ ଶୀତ ଲହରୀ ଅନୁଭୂତ ହୋଇପାରେ ।ଏହାସହିତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।
ଦିନକ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ବିସ୍ତାରିତ ପାଣିପାଗ ଆକଳନ ଅନୁସାରେ, ୧୬ରୁ ୨୨ ତାରିଖ ଭିତରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ୪ରୁ ୮ ଡିଗ୍ରୀ, ଦକ୍ଷିଣ ଆଭ୍ୟନ୍ତରୀଣରେ ୮ରୁ ୧୦ ଡିଗ୍ରୀ ଏବଂ ବାକି ଅଞ୍ଚଳରେ ୧୦ରୁ ୧୪ ଡିଗ୍ରୀ ପାଖାପାଖି ରହିପାରେ । ୨୩ରୁ ୨୯ ତାରିଖ ଭିତରେ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୬ରୁ ୧୦ ଡିଗ୍ରୀ, ଦକ୍ଷିଣ ଆଭ୍ୟନ୍ତରୀଣରେ ୧୦ରୁ ୧୪ ଡିଗ୍ରୀ ଏବଂ ବାକି ସ୍ଥାନରେ ୧୨ରୁ ୧୬ ଡିଗ୍ରୀ ସେଲସିୟସ୍ ରହିପାରେ ।