ମହିଳା ହକି ବିଶ୍ୱକପ୍: ଆଜି ଭାରତ-ଇଂଲଣ୍ଡ ମୁକାବିଲା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠୁ ଆରମ୍ଭ ହେଉଛି, ମହିଳା ହକି ବିଶ୍ୱକପ୍ । ନେଦରଲଣ୍ଡ୍ସ ଓ ସ୍ପେନରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ ୧୫ତମ ସଂସ୍କରଣରେ ଭାରତ ରବିବାର ପ୍ରଥମ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଗ୍ରୁପ-ବି ରେ ସ୍ଥାନ ପାଇଥିବା ଭାରତ ଆମଷ୍ଟିଲଭିନରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଟୋକିଓ ଅଲିମ୍ପିକ୍ସରେ ତୃତୀୟ ସ୍ଥାନ ପାଇଁ ମ୍ୟାଚରେ ଭାରତ ଗ୍ରେଟ ବ୍ରିଟେନ ନିକଟରୁ ପରାଜିତ ହେବା ସହ ଐତିହାସିକ କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲା। ଉକ୍ତ ପରାଜୟର ପ୍ରତିଶୋଧ ନେବା ନେଇ ଭାରତ ନିକଟରେ ବଡ ସୁଯୋଗ ରହିଛି।

ଟୋକିଓ ଅଲିମ୍ପିକ୍ସ ପରେ ଭାରତ ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ମହିଳା ହକି ବିଶ୍ବକପରେ ଭାରତ ୧୯୭୪ ପ୍ରଥମ ସଂସ୍କରଣରେ ୪ର୍ଥ ସ୍ଥାନ ଏପର୍ୟ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନିକଟରେ ପ୍ରଥମ ଥର ପାଇଁ ବିଶ୍ବକପ ପୋଡ଼ିୟମ ଦଖଲର ସୁଯୋଗ ରହିଛି। ବର୍ତ୍ତମାନ ଭାରତ ବିଶ୍ବ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଛି। ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗରେ ଦଳ ବିଶ୍ବର ବୃହତ ଦଳକୁ ପରାଜୟ କରିବାରେ ସଫଳ ହୋଇଥିଲା। ରାଣୀ ରାମପାଲ ଦଳରେ ନଥିବାବେଳେ ଗୋଲରକ୍ଷକ ସବିତା ପୁନିଆ ମଧ୍ୟ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକିରେ ଭଲ ନେତୃତ୍ବ ତୁଲାଇଥିଲେ। ତେବେ ଉଭୟ ଦଳ ମଧ୍ୟରେ ଭଲ ପ୍ରଦର୍ଶନ ଥିବା ବେଳେ କିଏ କାହାକୁ ଗୋଲ୍ ଦେଇ ବିଜୟ ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।

 

Leave A Reply

Your email address will not be published.