ସମଲିଙ୍ଗୀ ବିବାହକୁ ମିଳିଲାନି ମଞ୍ଜୁରୀ

ମନା କରିଦେଲେ ସର୍ବୋଚ୍ଚ ଅଦାଲତ

0

ଓଡ଼ିଆ ନ୍ୟୁଜ୍: ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଗତ ୨୦୨୩ ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଖଣ୍ଡପୀଠ। ସୁପ୍ରିମକୋର୍ଟ ଦେଇଥିବା ପୂର୍ବ ରାୟର ପୁନଃସମୀକ୍ଷା କରିବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଖଣ୍ଡପୀଠ। ଜଷ୍ଟିସ ବି.ଆର. ଗଭାଇ, ସୂର୍ଯ୍ୟକାନ୍ତ, ବି.ଭି. ନାଗରତ୍ନା, ପିଏସ ନରସିହ୍ମା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଅତୀତ ରାୟକୁ ଯଥାର୍ଥ ବୋଲି କହିବା ସହ ଏହି ମାମଲାର ଖୋଲା ଶୁଣାଣି କରିବା ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ୨୦୨୩ ରାୟରେ ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ଅର୍ଥାତ ଜଷ୍ଟିସ ରବୀନ୍ଦର ଭଟ୍ଟ, ହିମା କୋହଲି ଓ ପି.ଏସ ନରସିହ୍ମା ସମଲିଙ୍ଗୀ ବିବାହକୁ ବିରୋଧ କରିଥିବାବେଳେ ୨ ଜଣ ଅର୍ଥାତ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ସଞ୍ଜୟ କୌଲ ସମର୍ଥନ କରିଥିଲେ ।

ସମଲିଙ୍ଗୀ ବିବାହ ଓ ସେହି ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବା ଏକ ସାମ୍ବିଧାନିକ ଅଧିକାର ବୋଲି ଏହି ଦୁଇ ଜଣ ମତ ଦେଇଥିଲେ । ସମଲିଙ୍ଗୀ ବିବାହ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟରେ କେତେକ ପିଟିସନ ଦାୟର ହୋଇଥିଲା । ଗତ ଜୁଲାଇ ୨୦୨୪ରେ ପୂର୍ବରୁ ଗଠିତ ଖଣ୍ଡପୀଠରୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଓହରିଯିବା ପରେ ନୂଆ ଖଣ୍ଡପୀଠ ଗଠିତ ହୋଇଥିଲା। ପିଟିସନରକାରୀମାନେ କହିଥିଲେ- ୨୦୧୮ରେ ନବତେଜ ସିଂ ଜୋହର ବନାମ କେନ୍ଦ୍ର ସରକାର ଏବଂ ୨୦୧୪ରେ ନଲସା ବନାମ କେନ୍ଦ୍ର ସରକାର ମାମଲାରେ ଏଲଜିବିଟିକ୍ୟୁଆଇଏ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଏହି ମାମଲାର ପୁନର୍ବିଚାର କରାଯାଉ । ନବତେଜ ସିଂ ମାମଲାରେ ସୁପ୍ରିମକୋର୍ଟ ଦୁଇ ଜଣ ବୟସ୍କଙ୍କ ସହମତିଭିତ୍ତିକ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି କହିଥିଲେ।

Leave A Reply

Your email address will not be published.