କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ବାତିଲ

ଦିପାଳୀ କହିଲେ ଡାର୍ଟି ପଲଟିକ୍ସ

0

ଓଡ଼ିଆ ନ୍ୟୁଜ୍:  ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟଗ୍ରହଣ ହେବାକୁ ଥିବାବେଳେ ତାକୁ ବାତିଲ କରାଯାଇଛି। ଭୋଟ ଦେବାକୁ ସମିତି ସଭ୍ୟ ନ ଆସିବାରୁ ଶେଷରେ ଏହାକୁ ବାତିଲ କରି ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ସକାଳ ୧୦ଟା ୩୦ରେ କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାର ଥିଲା। ନିର୍ବାଚନ ଅଧିକାରୀ ସକାଳ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ହେଲେ କୌଣସି ସଦସ୍ୟ ନଆସିବାରୁ ନିର୍ବାଚନ ଅଧିକାରୀ ଫେରିଯାଇଛନ୍ତି।

ତେବେ ଏହି ଅନାସ୍ଥା ଭୋଟିଂକୁ ନେଇ ଝାରସୁଗୁଡାରେ ସରଗରମ ହୋଇଛି ରାଜନୀତି । ଗୋଟିଏ ପଟେ ଛତିଶଗଡ଼ ସରେଇପାଲି ଥାନାରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଏବଂ କିରିମିରା ବ୍ଲକର ୯ ଜଣ ପିଆରଆଇ ମେମ୍ବରଙ୍କୁ ପୁଲିସ ଅଟକ ରଖିଛି। ଏପଟେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଦଳୀୟ କର୍ମୀଙ୍କ ସହ ଏଡିଏମ୍‌ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ସରକାର ଗଣତାନ୍ତ୍ରିକ ପ୍ରକ୍ରିୟା଼କୁ ଅଟକ ରଖିଛନ୍ତି। ସମସ୍ତ ଅଟକ ସମିତି ମେମ୍ବର, ସରପଞ୍ଚଙ୍କୁ ଛତିଶଗଡ଼ରୁ ଆଣି ଭୋଟିଂ ପ୍ରକିୟା କରାଯାଉ ବୋଲି ଦୀପାଳି ଦାବି କରିଛନ୍ତି। ତେବେ ବିଶାଲ ଦାସ କାହିଁକି ଛତିଶଗଡ଼ ଯାଇଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ। କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧରି ସେ ସେଠାକୁ କାହିଁକି ଯାଇଥିଲେ ସେନେଇ ପ୍ରଶ୍ନବାଚୀ ଉଠିଛି। ଲଇକେରା ଥାନାରେ ହୋଇଥିବା ଏକ ଅନ୍ ଲାଇନ୍ ନିଖୋଜ ରିପୋର୍ଟକୁ କେନ୍ଦ୍ର କରି ଏନେଇ ଚର୍ଚ୍ଚା ବଢ଼ିଥିଲା। ୩ ସମିତି ସଭ୍ୟ ଓ ଜଣେ ସରପଞ୍ଚ ନିଖୋଜ ଥିବା ନେଇ ସେମାନଙ୍କ ସଂପର୍କୀୟ ୮ ତାରିଖରେ ଥାନାରେ ରିପୋର୍ଟ କରିବା ପରେ ପୁଲିସ ଚଢ଼ାଉ ଆରମ୍ଭ କରିଥିଲା। ଗତକାଲି ପୁଲିସ୍‌ ଝାରସୁଗୁଡ଼ା ଓ ସମ୍ବଲପୁରରେ ବିଭିନ୍ନ ଜାଗାରେ ରେଡ୍ କରିଥିଲା। ଏମିତିକି ବିଶାଲ ଦାସଙ୍କ ହୋଟେଲରେ ଗତକାଲି ରେଡ୍ କରିଥିଲା ପୁଲିସ। ଏନେଇ କାଲି ଆଇଜିଙ୍କୁ ଭେଟି ଫେରାଦ ହୋଇଥିଲେ ବିଶାଲ ଦାସ। ହେଲେ ଅଚାନକ ସେ କାହିଁକି ଛତିଶଗଡ଼ ଯାଇଥିଲେ ତାହା ସୃଷ୍ଟି କରିଛି ସନ୍ଦେହ।

ଗତରାତିଠୁ ବିଶାଲ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ। ମହାସମୁଦ ଜିଲ୍ଲା ସରେଇପାଲି ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରୁ ବିଶାଲଙ୍କ ସମେତ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଅଟକ ରଖିଛି। ଏନେଇ ଦୀପାଳି କହିଛନ୍ତି, ସରପଞ୍ଚ ଓ ସମିତିସଭ୍ୟଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇଛି। ଗଣତନ୍ତ୍ର ପ୍ରକ୍ରିୟାକୁ ବନ୍ଦ କରାଯାଉଛି। ଭୋଟିଂକୁ ଡର ଲାଗୁଥିବାରୁ ଅଟକ ରଖାଯାଉଛି। ଏହା ଡାର୍ଟି ପଲଟିକ୍ସ।

Leave A Reply

Your email address will not be published.