ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ରାଜଧାନୀରେ ମଧ୍ୟ ଜନବସତିକୁ ପଶିଆସୁଛନ୍ତି ହାତୀ। ଏହି ୧୨ଟି ଗୋଠଛଡ଼ା ଦନ୍ତା ମଣିଷ ପାଇଁ ବିପଜ୍ଜନକ ତଥା ସେମାନେ ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ଏବଂ ବ୍ୟାପକ କ୍ଷତି କରୁଛନ୍ତି। ସେମାନଙ୍କୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ା ଯିବ।
ତା’ସତ୍ତ୍ୱେ ସେମାନଙ୍କ ବ୍ୟବହାରରେ ସୁଧାର ନଆସିଲେ ଅବା ପୁଣି ଜନବସତି ମୁହାଁ ହେଲେ ସେମାନଙ୍କୁ ହାତୀ ସୁଧାର କେନ୍ଦ୍ରକୁ ପଠାଇ ଦିଆଯିବ। ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ଆଜି ଏହି ସୂଚନା ଦେଇଛନ୍ତି। ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି, ଗୋଠଛଡ଼ା ହୋଇ ବୁଲୁଥିବା ଏହି ୧୨ଟି ଦନ୍ତା ମଧ୍ୟରୁ ରାଉରକେଲା, ବରିପଦା, ଭୁବନେଶ୍ୱର ଓ ଅନୁଗୋଳ ସର୍କଲରୁ ୩ଟି ଲେଖାଏଁ ଅଛନ୍ତି। ରାଜ୍ୟରେ ଥିବା ୩୧୩ଟି ଦନ୍ତା ହାତୀ ମଧ୍ୟରୁ ୧୨ଟି ଗୋଠଛଡ଼ା ହାତୀ ଚିହ୍ନଟ କରିଛି ବନବିଭାଗ। ଭୁବନେଶ୍ୱର, ରାଉରକେଲା, ଅନୁଗୋଳ ଓ ବାରିପଦା ଭଳି ୪ଟି ସର୍କଲରେ ୩ଟି ଲେଖାଏଁ ଦନ୍ତା ହାତୀ ବୁଲୁଛନ୍ତି। ଗୋଠ ଛାଡ଼ି ବାରମ୍ବାର ଜନବସତି ମୁହାଁ ହେଉଛନ୍ତି। ଘରଦ୍ବାର ଭାଙ୍ଗୁଛନ୍ତି, ମଣିଷଙ୍କୁ ଦେଖିଲେ ମାରିଗୋଡ଼ାଇବାକୁ ପଛାଉନାହାନ୍ତି।
ଚିହ୍ନଟ ହୋଇଥିବା ୧୨ଟି ହାତୀଙ୍କୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଇବାର ବ୍ୟବସ୍ଥା ହୋଇଛି। ଏହାପରେ ହାତୀଙ୍କୁ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବାର ବ୍ୟବସ୍ଥା ହୋଇଛି। ଏହିସବୁ ହାତୀଙ୍କ ବ୍ୟବହାରରେ ସୁଧାର ନ ଆସିଲେ, ଚନ୍ଦକାସ୍ଥିତ ହାତୀ ସୁଧାର କେନ୍ଦ୍ରକୁ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି। ଚନ୍ଦକା ଓ ଖୋର୍ଦ୍ଧା ଅଞ୍ଚଳରେ ବୁଲୁଥିବା ଦୁଇଟି ମାଖନା ହାତୀ(ଦାନ୍ତ ନଥିବା ଅଣ୍ଡିରା ହାତୀ)ଙ୍କୁ ଟ୍ରାଙ୍କୁଲାଇଜ୍ କରିବାକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି।
Comments are closed.