ବାଲାଘାଟ(ଓଡ଼ିଆ ନ୍ୟୁଜ୍): ସୋମବାର ସକାଳେ ମଧ୍ୟପ୍ରଦେଶର ବାଲାଘାଟ ଅନ୍ତର୍ଗତ ଲୋଢ଼ାଙ୍ଗୀ ଚୌକି ଥାନା ଅଧୀନ ଲାଞ୍ଜୀ କ୍ଷେତ୍ର ଅଞ୍ଚଳରେ ହାକ୍ ଫୋର୍ସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ । ହାକ୍ ଫୋର୍ସର ଗୁଳିରେ ୩ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କର ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମୃତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ମାଓବାଦୀ। ସେ ଥିଲେ ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଞ୍ଚଳର ଏକ ଗାଁ’ର ବାସିନ୍ଦା। ହାକ୍ ଫୋର୍ସର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ଏବେ ମଧ୍ୟ ଘଟଣାସ୍ଥଳରେ ତଲାସ ଜାରି ରହିଛି।
ସୂଚନାଅନୁଯାୟୀ, ବାଲାଘାଟ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ପୁଲିସ ଓ ହାକ୍ ଫୋର୍ସ ସନ୍ଦିଗ୍ଧ ସ୍ଥାନକୁ ଘେରାଉ କରିଥିଲେ। ଏହାପରେ ମାଓବାଦୀ ଓ ହାକ୍ ଫୋର୍ସ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ତେବେ ଏଥିରେ ୩ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀମାନଙ୍କ ମଧ୍ୟରେ ଅଛନ୍ତି ସେମାନଙ୍କର ଡିଭିଜିନାଲ୍ କମିଟି ସଦସ୍ୟ ନାଗେଶ। ଅନ୍ୟ ୨ଜଣ ଥିଲେ ଏରିଆ କମାଣ୍ଡର୍ ମନୋଜ ଏବଂ ରାମେ ନାମରେ ଜଣେ ମହିଳା ମାଓବାଦୀ ବୋଲି ଜଣାପଡ଼ିଛି ।