ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି । କାମ ଦେଉନି ଠାକରେଙ୍କ ଅନୁରୋଧ । ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟୀରେ ଡେରା ପକାଇଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ବର୍ତ୍ତମାନ ସିନ୍ଧେଙ୍କ ସାଥ୍ ଦେଉଛନ୍ତି । ବର୍ତ୍ତମାନ ଶିବସେନାର ୪୦ରୁ ଅଧିକ ବିଧାୟକ ଏକନାଥ ସିନ୍ଧେଙ୍କ ସହ ରହିଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ଶିବସେନାର ଆଉ ୪ ବିଧାୟକ ଆସାମରେ ପହଞ୍ଚିଥିଲେ । ସେଠାରୁ ଗୌହାଟି ଯାଇ ଏକନାଥ ସିନ୍ଦେଙ୍କ ସହ ହୋଟେଲ୍ରେ ସାକ୍ଷାତ କରିଥିଲେ । ଅନ୍ୟପଟେ ଆଜି ଆଉ ୩ ବିଧାୟକ ଯାଇ ଏକନାଥ ସିନ୍ଦେଙ୍କ ସହ ସାକ୍ଷାତ କରି ନିଜର ସମର୍ଥନ ଜଣାଇଛନ୍ତି । ଗୌହାଟିର ରାଡିସନ୍ ବ୍ଲୁ ହୋଟେଲରେ ପହଞ୍ଚି ସିନ୍ଧେଙ୍କୁ ସମର୍ଥନ ଜଣାଇଛନ୍ତି ।
ସୂଚନାଅନୁସାରେ, ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ୩୪ ଜଣ ବିଧାୟକଙ୍କ ଦସ୍ତଖତ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ନିକଟକୁ ପଠାଇଛନ୍ତି । ଏହି ଚିଠିରେ ସେମାନେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ଦର୍ଶାଇଛନ୍ତି । ରାଜ୍ୟପାଳଙ୍କୁ ଚିଠି ଲେଖି ବିଦ୍ରୋହୀ ବିଧାୟକମାନେ ସିନ୍ଦେଙ୍କୁ ନିଜ ନେତା ବୋଲି ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ଅପସାରଣ କରିଛି ଦଳ । ୨୦୧୯ ନଭେମ୍ବରରେ ସିନ୍ଧେଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲା ଦଳ ।