ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଅଘଟଣ । ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଭରତ ରଣା, ବସନ୍ତ ଦେହୁରୀ ଓ ଶ୍ରୀକାନ୍ତ ମୁଣ୍ଡା । ସେହିପରି ଘଟଣାରେ ଗୁରୁତର ହୋଇଛନ୍ତି ସିଦ୍ଧାର୍ଥ ମୁଣ୍ଡା । ତାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଆଜି ୪ ଶ୍ରମିକ ପୁକୁଡ଼ା ଗାଁରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳିବା କାମରେ ନିୟୋଜିତ ଥିଲେ। ମାତ୍ର କିଛି ସମୟ ପରେ ହଠାତ୍ ସମସ୍ତେ ଅଣନିଶ୍ୱାସୀ ହୋଇ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ୪ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ସିଦ୍ଧାର୍ଥ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.