ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗତକାଲି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଥିଲା। ଶନିବାର ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିରୋଧୀଙ୍କ ବିରୋଧରେ ଗୃହରେ ନିନ୍ଦା ପ୍ରସ୍ତାବ ଆଗତ କରିବା ପରେ ବାଚସ୍ପତିଙ୍କ ଅନୁମୋଦନକ୍ରମେ ଏହା ପାରିତ ହୋଇଛି।
ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ। ବିଧାନସଭାରେ ବାଚସ୍ପତିଙ୍କୁ ଏହି ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ।
ନିନ୍ଦା ପ୍ରସ୍ତାବ ଗୃହୀତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପରବର୍ତ୍ତୀ ସମୟରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ବିରୋଧୀ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।