ଆଖି ପିଛୁଳାକେ ଅଭିନବ ଉପାୟରେ ଲୁଟ୍‌ କରୁଥିଲେ ମହିଳା ଲୁଟେରା ଗ୍ୟାଙ୍ଗ୍, ୯ ଜଣଙ୍କୁ ଗିରଫ କଲା କମିନଶନରେଟ ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମଲ୍‌ରୁ ମଲ୍‌କୁ ଘୂରି ବୁଲୁଥିଲେ । ଆଖି ପିଛୁଳାକେ ଅଭିନବ ଉପାୟରେ ଲୁଟ୍‌ । ରାଜଧାନୀରେ ବଙ୍ଗୀୟ ଲୁଟେରା ମହିଳା ଗ୍ୟାଙ୍ଗ । ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ । ଆଉ ୪ ଜଣ ଫେରାର । ଗିରଫ ମହିଳା ଲୁଟେରାଙ୍କ ଘର ପଶ୍ଚିମବଙ୍ଗ ହସିପୁରରେ । ଏମାନେ ସମସ୍ତେ ଗୋଟିଏ ପରିବାରର । ଏହି ମହିଳା ଗ୍ୟାଙ୍ଗର ଲୁଟ୍‌ ତରିକା ନିଆରା । ଏମାନେ ଶାଢ଼ି ପିନ୍ଧି ମଲ୍‌କୁ ଯାଉଥିଲେ । କିଛି ଛୋଟକାଟିଆ ଜିନିଷ କିଣୁଥିଲେ । ଆଉ ସୁଯୋଗ ଦେଖି ଶାଢ଼ି ଭିତରେ କସମେଟିକ୍ସ, ଡ୍ରେସ ଆଦି ଲୁଚାଇ ମଲ୍‌ରୁ ବାହାରକୁ ସନ୍ତର୍ପଣରେ ପଳାଇ ଆସୁଥିଲେ । ମଲ୍‌ରୁ ବାହାରିବା ବେଳେ ସେନସର ବାଜିଲେ ବି ଯେହେତୁ ବିଲ୍‌ ଦେଖାଇ ବାହାରୁଥିଲେ ସେଥିପାଇଁ ସେମାନଙ୍କ ଉପରେ ସୁରକ୍ଷାକର୍ମୀଙ୍କ ସନ୍ଦେହ ହେଉନଥିଲା । ଚୋରିଜିନିଷକୁ ନେଇ ନିଜ ଗାଁରେ ସେମାନେ କମ୍‌ ଦାମ୍‌ରେ ବିକୁଥିଲେ ବୋଲି ଜଣାପଡ଼ିଛି ।

ଗତ ୩୧ ତାରିଖରେ ବଙ୍ଗୀୟ ଲେଡି ଲୁଟେରା ଗ୍ୟାଙ୍ଗ ନୟାପଲ୍ଲୀର IRC ଭିଲେଜର ରିଲାଏନ୍ସ ସ୍ମାର୍ଟ ବଜାରକୁ ଯାଇ କିଛି ଜିନିଷ ଚୋରି କରି ପଳାଇଥିଲେ । ଏହା CCTVରେ କଏଦ ହୋଇଥିଲା । ପୋଲିସର ପରାମର୍ଶ ଅନୁଯାୟୀ ମଲ୍‌ କର୍ତ୍ତୃପକ୍ଷ ସଜାଗ ଥିଲେ । ଗତକାଲି ସନ୍ଧ୍ୟାରେ ମହିଳାମାନେ ପୁଣି ରିଲାଏନ୍ସ ସ୍ମାର୍ଟ ବଜାରକୁ ଆସି ଅଭିନବ ଉପାୟରେ ଚୋରି କରୁଥିବା ବେଳେ ଧରାପଡ଼ିଥିଲେ । ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର କସମେଟିକ୍ସ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହି ଗ୍ୟାଙ୍ଗ କିଛି ଦିନ ପୂର୍ବେ ଜାଗମରା ଅଞ୍ଚଳରେ ଏକ ଗେଷ୍ଟ ହାଉସ୍‌ରେ ରହୁଥିଲେ । ଭୁବନେଶ୍ୱରରେ ଆଉ କିଛି ମଲରୁ ମଧ୍ୟ ସେମାନେ ଚୋରି କରିଥିବା ଅନୁମାନ କରୁଛି ପୋଲିସ । ଆଗକୁ ରଜ ଓ ରଥଯାତ୍ରା ଆଦି ପର୍ବପର୍ବାଣୀ ଥିବାରୁ ଭିଡ଼ର ସୁଯୋଗ ନେଇ ଲୁଟ୍‌ ପାଇଁ ଏହି ଗ୍ୟାଙ୍ଗ ଯୋଜନା କରିଥିଲା । ଦେଶର ବିଭିନ୍ନ ସ୍ଥାନରେ ଲେଡି ଗ୍ୟାଙ୍ଗ ଏପରି ଲୁଟ୍‌ କରିଥିବା ସନ୍ଦେହ କରାଯାଉଛି ।

 

ମଲ୍‌ରୁ ମଲ୍‌କୁ ଘୂରି ବୁଲୁଥିଲେ
ଆଖି ପିଛୁଳାକେ ଅଭିନବ ଉପାୟରେ ଲୁଟ୍‌
ରାଜଧାନୀରେ ବଙ୍ଗୀୟ ଲୁଟେରା ମହିଳା ଗ୍ୟାଙ୍ଗ
ଗିରଫ ମହିଳା ଲୁଟେରାଙ୍କ ଘର ପଶ୍ଚିମବଙ୍ଗ ହସିପୁରରେ
ଲୁଟେରା ମହିଳାମାନେ ଗୋଟିଏ ପରିବାରର

Leave A Reply

Your email address will not be published.