ନବୀନଙ୍କ ଫୋକାସ୍: ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ପଶ୍ଚିମ ଓଡିଶାର ୭ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ରାଜ୍ୟ ସରକାରଙ୍କ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ରାଜ୍ୟରେ ପଶ୍ଚିମ ଓଡ଼ିଶାରେ ବିକାଶ ହେଉନଥିବା ଏବଂ ପଛୁଆ ରହିଯାଇଥିବା ନେଇ ବିରୋଧୀ ଅପପ୍ରଚାର କରୁଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ରହିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ‘ମିଶନ୍‍ ପଶ୍ଚିମ ଓଡ଼ିଶା’ ଅଧୀନରେ ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ ଓ ନିର୍ମାଣ କାର୍ଯ୍ୟକ୍ରମକୁ  ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।

ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ମଧ୍ୟ ନବୀନ ପଶ୍ଚିମ ଓଡ଼ିଶାର ୭ ଜଣଙ୍କୁ ସ୍ଥାନ ଦେଇଛନ୍ତି। ଆଜି ଶପଥ ନେବାକୁ ଥିବା ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ନିକଟରେ ପଶ୍ଚିମ ଓଡ଼ିଶାରୁ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପଠାଇବାକୁ ନବୀନ ନିଷ୍ପତ୍ତି ନେଇଥିବାବେଳେ ୨ ଜଣ ମହିଳାଙ୍କ ସମେତ ୭ଜଣଙ୍କୁ ମନ୍ତ୍ରୀ ପଦ ଦେଇ ସରକାରରେ ଭାରସାମ୍ୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି। ନବକିଶୋର ଦାସ, ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢ଼ୋଲକିଆ, ରୋହିତ ପୂଜାରୀ, ଟୁକୁନୀ ସାହୁ ଓ ରୀତା ସାହୁଙ୍କୁ ସରକାରରେ ସାମିଲ କରାଯିବା ନେଇ ଆପାତତଃ ସୂଚନା ମିଳିଛି। ସେହିପରି ଉପମୁଖ୍ୟ ସଚେତକ ପଦରେ ପଶ୍ଚିମ ଓଡ଼ିଶାର ଅନ୍ୟଜଣେ ବିଧାୟକ ସରୋଜ ମେହେରଙ୍କୁ ଅବସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.