ରଖେ ହରି ତ ମାରେ କିଏ? ୧୦୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବୋରୱେଲରୁ ଉଦ୍ଧାର ହେଲା ରାହୁଲ, ଏନଡିଆରଏଫକୁ ଦେଶବ୍ୟାପୀ ପ୍ରଶଂସା
ଓଡିଆ ନ୍ୟୁଜ୍(ବ୍ୟୁରୋ): ଦୀର୍ଘ ୧୦୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସଫଳ ହୋଇଛି ଏନଡିଆରଏଫ ଟିମ୍। ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋରୱେଲରେ ଫସିଥିବା ଶିଶୁ ରାହୁଲ ସାହୁକୁ। ଦିର୍ଘ ୫ ଦିନ ହେବ ବାପା ଚାଷ ପାଇଁ ଖୋଳିଥିବା ବୋରୱେଲ ଗର୍ତ୍ତରେ ପଡିଯାଇଥିବା ରାହୁଲ ଗତକାଲି ରାତି ୧୨ ଟାରେ ଉଦ୍ଧାର ହୋଇଛି। ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁସେନା ନେତୃତ୍ବରେ ଏଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅକ୍ଳାନ୍ତ ପରିଶ୍ରମ କରାଯାଇଥିଲା। ରାହୁଲକୁ ସଫଳତାର ସହିତ ଉଦ୍ଧାର କରାଯାଇ ଗ୍ରୀନ୍ କରିଡର କରାଯାଇ ବିଳାସପୁର ଆପୋଲ ହସ୍ପିଟାଲକୁ ନିଆଯାଉଛି।
ଗତକାଲିଠୁ ରାହୁଲର ଉଦ୍ଧାର ପକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା କିନ୍ତୁ ଟନେଲ ଖୋଳିବା ଶେଷ ପର୍ଯ୍ୟାୟରେ ପଥର ପଡିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଶେଷ ପର୍ଯ୍ୟାୟର ଉଦ୍ଧାର ସମୟରେ ଯତ୍ନବାନ ଭାବେ କାର୍ଯ୍ୟ କରିବାକୁ ପଡୁଥିବାରୁ ସେନା ଏବଂ ଏନ୍ଡିଆରଏଫ ପକ୍ଷରୁ ସତର୍କତା ସହ କାର୍ଯ୍ୟ କରାଯାଇଥିଲା। ମେସିନରେ ପଥର ଫାଟିବା ସମୟରେ ରାହୁଲ ଉପରେ କିଛି ପ୍ରଭାବ ପଡିବା ଆଶଂଙ୍କା ଥିବାରୁ ମେସିନ ବଦଳରେ ହାତରେ ପଥର ଫଟାଇ ବାହାର କରାଯାଉଥିଲା। ଏହାପରେ ମାଟି କାଦୁଅକୁ ମଧ୍ୟ ହାତରେ ବାହାର କରାଯାଇଥିଲା।

ରାହୁଲକୁ ଉଦ୍ଧାର ପାଇଁ ଟନେଲ ଭିତରକୁ ଅକ୍ସିଜେନ ଓ ଷ୍ଟ୍ରେଚର ନିଆଯାଇଥିଲା। ଏଥି ସହିତ ଆଇସିୟୁ ଥିବା ୩ ଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ରହିଥିଲା। ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରୀନ କରିଡର କରିରଖାଯାଇଥିଲା। କର୍ଡନ କରିବା ପାଇଁ ବ୍ୟାପକ ପୁଲିସ ମଧ୍ୟ ମୁତୟନ ରଖାଯାଇଥିଲା। ରାହୁଲକୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସରେ ବିଳାସପୁରସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତର କହିଛନ୍ତି ଯେ, ରାହୁଲ ସାଧାରଣତଃ ଶ୍ବାସକ୍ରିୟା କରୁଛି। ସେପଟେ ଏହି ସଫଳତା ପାଇଁ ନିୟୋଜିତ ସମସ୍ତ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ସେ ଟୁଇଟ୍ କରି କହିଛନ୍ତି ଯେ, ବାଳକ ରାହୁଲଙ୍କ ପ୍ରତି ସମସ୍ତଙ୍କର ଆଶୀର୍ବାଦ ରହିଛି। ଦିର୍ଘ ୧୦୦ ଘଣ୍ଟା ଧରି ବୋରୱେଲ ଗର୍ତ୍ତରେ ପଡିରହିବା ପରେ ମଧ୍ୟ ବାଳକଟିର ସାହସିକତା ଉଦ୍ଧାକାରୀ ଦଳକୁ ତାଜୁବ କରିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ ମଧ୍ୟ ବାଳକର ସାହସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।