ଦିଲ୍ଲୀ ପୁଲିସ୍ କଂଗ୍ରେସ କାର୍ଯ୍ୟାଳୟରେ ପଶି ନେତୃବର୍ଗଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ: ରାଜ ଭବନ ସମ୍ମୁଖରେ ପିସିସି ପକ୍ଷରୁ ପ୍ରତିବାଦ ସଭା
ଓଡିଆ ନ୍ୟୁଜ୍(ବ୍ୟୁରୋ): ଏଆଇସିସି କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ୍ ମାତ୍ରାଧିକ ପ୍ରତିହିଂସା ପରାୟଣ ହୋଇ ଏ.ଆଇ.ସି.ସି. କାର୍ଯ୍ୟାଳୟରେ ପ୍ରବେଶ କରିବା ଘଟଣା ସାରା ଦେଶରେ ତିବ୍ର ଆଲୋଡ଼ନ ସୃଷ୍ଟି କରିଛି । ଏ.ଆଇ.ସି.ସି.ର ନିଷ୍ପତି ଅନୁସାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଓ ଧାରଣା କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରସ୍ଥ ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଗତ ୩ ଦିନ ଧରି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଦ୍ୱାରା ଶ୍ରୀ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ଖବର କାଗଜ ବିଷୟରେ ପଚରା ଉଚରା ପାଇଁ ଡାକିଲା ପରେ ମଧ୍ୟ ଆହୁରି କ’ଣ ପ୍ରଶ୍ନ ରହିଲା ଯେ, ପୁଣି ଆସନ୍ତାକାଲି ଶୁକ୍ରବାର ଦିନକୁ ଇଡ଼ି ସମନ ଜାରି କରିଛି? ଏହାକୁ ପ୍ରତିବାଦ କରି ଏ.ଆଇ.ସି.ସି. ମୁଖ୍ୟାଳୟରେ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀମାନେ, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବର୍ତମାନର ସାଂସଦ, ବିରୋଧି ଦଳର ନେତା ତଥା ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ, ସଂପାଦକ ସମେତ ହଜାର ହଜାର ସଂଖ୍ୟାର ଛାମୁଆଁ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ଓ କର୍ମକର୍ତାମାନେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଓ ପ୍ରତିବାଦ କରୁଥିଲାବେଳେ ଗତ ତା. ୧୫/୦୬/୨୦୨୨ ରିଖ ଦିନ ଦିଲ୍ଲୀ ପୁଲିସ ଅଖିଳ ଭାରତ ଜାତୀୟ କଂଗ୍ରେସ କାର୍ଯ୍ୟାଳୟରେ ପଶି କଂଗ୍ରେସ ନେତୃମଣ୍ଡଳୀ ଓ କର୍ମୀମାନଙ୍କୁ ପିଟିବା ଏବଂ ପଦାଧିକାରୀମାନଙ୍କୁ ନିଜ କାର୍ଯ୍ୟାଳୟକୁ ଯିବାକୁ ନଦେବା ବିରୋଧରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ ଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀ ପଟ୍ଟନାୟକ ଏବଂ ବହୁ କଂଗ୍ରେସ ନେତୃମଣ୍ଡଳୀ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଏଡ଼ିଏମ୍ କାର୍ଯ୍ୟାଳୟ ଠାରୁ ବାହାରି ପାୱାର ହାଉସ୍ ଛକ ଦେଇ ରାଜ ଭବନ ସମ୍ମୁଖ ଧାରଣା ସ୍ଥଳରେ ପହଂଚିଥିଲେ । ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ଗତକିଛି ଦିନ ଧରି ଯେଉଁଭଳି ଭାବରେ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ସୋନିଆଙ୍କ ଗାନ୍ଧୀଙ୍କ ବିରୋଧରେ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାର ଆକ୍ରୋଶମୂଳକ, ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ କାର୍ଯ୍ୟକଳାପକୁ ଦିଲ୍ଲୀ ପୁଲିସ୍ ଓ ଇ.ଡ଼ି ମାଧ୍ୟମରେ କରାଉଛନ୍ତି ତାହା ତାଙ୍କୁ ବହୁ ମହଙ୍ଗା ପଡ଼ିବ । ଦେଶର ବେରୋଜଗାରୀ ସର୍ବୋଚ୍ଚସୀମା ଅତିକ୍ରମ କରିସାରିଛି, ୪୩ କୋଟି ଯୁବକ ଭାରତବର୍ଷରେ ଆଜି ବେରୋଜଗାର ଅଛନ୍ତି । ଦରଦାମ୍ ହୁ ହୁ ହୋଇ ବଢ଼ିଚାଲିଛି, ସାଧାରଣ ଜନତା ଦରଦାମ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହୋଇପଡ଼ିଛନ୍ତି, ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ଥ, ଦେଶର ଭାଇଚାରା ଆଜି ସଂପୂର୍ଣ୍ଣ ବିପର୍ଣ୍ଣ ଅବସ୍ଥାରେ, ଏ ସରକାର ସବୁ କ୍ଷେତ୍ରରେ ବିଫଳତାର ଶୀର୍ଷକୁ ଛୁଇଁଥିଲାବେଳେ ଶ୍ରୀ ରାହୁଲ ଗାନ୍ଧୀ ଏ ସମସ୍ତ ଘଟଣାକୁ ବାରମ୍ବାର ସରକାରଙ୍କୁ ଦୃଷ୍ଟିଆକର୍ଷଣ କରିବା ଓ କଠୋର ସମାଲୋଚନା କରିବା ଯୋଗୁଁ, ତାଙ୍କ ମୁହଁକୁ ବନ୍ଦ କରିଦେବା ଓ କଂଗ୍ରେସର ସ୍ୱରକୁ ଚପାଇଦେବାକୁ ଇଡ଼ି ମାଧ୍ୟମରେ ମୋଦୀ ଓ ସାହା ଅନବରତ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭ୍ୟଗପୂର୍ଣ୍ଣ ଅଟେ । ଏହାକୁ ନେଇ କଂଗ୍ରେସ ଆଦୌଂ ଭୟଭିତ ନୁହେଁ ।
ଗାନ୍ଧୀ ପରିବାର ଏ ଦେଶର ଏକତା, ସଂହତି, ଭାଇଚାରାକୁ ରକ୍ଷା କରିବା ପାଇଁ ବହୁ ବଳିଦାନ ଦେଇଛନ୍ତି । ମିଛ ଆରୋପ ଲଗାଇ ଗାନ୍ଧୀ ପରିବାରକୁ ବଦନାମ କରିବା ପାଇଁ ଯେଉଁ ଚେଷ୍ଟା ଚାଲିଛି ସେଥିରୁ ଯଥାଶୀଘ୍ର ମୋଦୀ, ସାହା କ୍ଷାନ୍ତ ରୁହନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟିର ମାନନୀୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଦୃଢ଼ ସମାଲୋଚନା କରିଛନ୍ତି ଓ ଆସନ୍ତାକାଲି ତା. ୧୭.୦୬.୨୦୨୨ (ଶୁକ୍ରବାର) ପ୍ରତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେଉଥିବାରୁ ସମସ୍ତ ପଦାଧିକାରୀ, କଂଗ୍ରେସ ଶୁଭେଚ୍ଛୁମାନେ ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃବର୍ଗ ଏପରିକି ମହିଳା ସାଂସଦ ମାନଙ୍କୁ ଦିଲ୍ଲୀ ପୁଲିସ୍ ଯେଉଁ ଭଳି ଭାବରେ ଅମାନୁଷିକ ବ୍ୟବହାର କରୁଛନ୍ତି ତାହା ସ୍ୱାଧୀନ ଭାରତ ବର୍ଷର ଗଣତନ୍ତ୍ରରେ କେବେ ଦେଖାଯାଇନଥିଲା ବୋଲି ପୂର୍ବତନ ପି.ସି.ସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

ଯେଉଁ ନ୍ୟାସନାଲ ହେରାଲ୍ଡ଼ ଖବର କାଗଜର ମନି ଲଣ୍ଡରିଙ୍ଗ କଥା କୁହାଯାଉଛି, ଆଜି ପର୍ଯ୍ୟନ୍ତ କୌଣସି ବି ଥାନାରେ ଏପର୍ଯ୍ୟନ୍ତ ଏତଲା ଦାୟର ହୋଇନାହିଁ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ମତବ୍ୟକ୍ତ କରିଥିଲେ । ଯଦି ଏତଲା ଦାୟର ହୋଇଛି, ତାହା ହେଲେ ଇଡ଼ି କିମ୍ବା ମୋଦୀ ଓ ଅମିତ ଶାହା ଏହାର ଏତଲା ସଂଖ୍ୟା ନମ୍ବର କେତେ, କେଉଁ ତାରିଖରେ ଓ କେଉଁଠି ହୋଇଛି ବୋଲି ଦେଶବାସୀଙ୍କୁ ଜଣାନ୍ତୁ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା କହିଛନ୍ତି । ସାରା ଭାରତ ବର୍ଷରେ କଂଗ୍ରେସ ନେତୃବର୍ଗ ଓ କଂଗ୍ରେସ କର୍ମୀମାନେ, ଗାନ୍ଧୀ ପରିବାର ପଛରେ । ଭାରତୀୟ ଜନତା ପାର୍ଟିର ଜୁମୁଲା ବାଜି ଯୋଗୁ ଆଜି ଦେଶ ରସାତଳ ଗାମି । …