ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯୋଗର ପ୍ରଚାର ପ୍ରସାର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ସମଗ୍ର ବିଶ୍ୱରେ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି। ଓଡ଼ିଶାରେ ଯୋଗର ପ୍ରଚାର ପ୍ରସାର ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଂଯୋଜନାରେ ୨୦୧୫ ମସିହାରୁ ଯୋଗ ମହୋତ୍ସବ ସମିତି ଏହି କାର୍ଯ୍ୟ କରୁଛି। ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ୱାରା ୮ମ ଆନ୍ତର୍ଜାତିକ ଯୋଗ ଦିବସ ସହ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ୭୫ଟି ଐତିହ୍ୟ ସ୍ଥାନରେ ଯୋଗ ପ୍ରଦର୍ଶନ କରାଯିବ। ୭୫ ଟି ସ୍ଥାନ ଭିତରୁ ଓଡ଼ିଶାର ୩ଟି ସ୍ଥାନ ପୁରୀ, କୋଣାର୍କ ଓ ଖିଚିଂ କୁ ଚିହ୍ନଟ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଯୋଗ ପ୍ରଦର୍ଶନ କରିବେ।
ଏହି ୩ଟି ସ୍ଥାନରେ ୩ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ। ପୁରୀରେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ମହେନ୍ଦ୍ର ନାଥ ପାଣ୍ଡେ , କୋଣାର୍କରେ ରେଳ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଆଦିବାସୀ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଖିଚିଂରେ ରହି ଲୋକଙ୍କୁ ଯୋଗ ବିଷୟରେ ଉଦବୋଧନ ଦେବେ। ୨୧ ତାରିଖ ଦିନ ମହୀଶୂରରୁ ପ୍ରଧାନମନ୍ତ୍ରୀନ୍କ ୨୦ ମିନିଟ ଅଭିଭାଷଣ ରହିବ।