କୁବେର ଜଳେଶ୍ବର ବିଡିଓଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ନିଜ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି।
ଓଡିଆ ନ୍ୟୁଜ୍(ବ୍ୟୁରୋ): ବନ୍ଧା ହେଲେ କୋଟିପତି ବିଡିଓ । ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ । ଧରିଲା ଭିଜିଲାନ୍ସ । ରେଡ୍ ପରେ ଖୋଲିଲା ଅମାପ ସମ୍ପତ୍ତିର ଗୁମର । ଗିରଫ ହେଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସ । ନିଜ ଆୟଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ । ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଆକଳନ କରିଛି ଭିଜିଲାନ୍ସ । ଅଶ୍ୱିନୀ ଦାସଙ୍କର ପତ୍ନୀ ଜ୍ୟୋତିର୍ମୟୀ ସାହୁଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । ସେ କଟକ ସରକାରୀ ପ୍ରେସରେ ସିନିୟର ଆସିଷ୍ଟାଣ୍ଟ ଅଛନ୍ତି । ତାଙ୍କୁ ମଧ୍ୟ ଜେରା କରୁଛି ଭିଜିଲାନ୍ସ । ଆବଶ୍ୟକ ହେଲେ ଅଧିକ ଖୋଳତାଡ ପାଇଁ ଅଶ୍ୱିନୀ ଦାସଙ୍କୁ ରିମାଣ୍ଡରେ ଆଣିବ ।
ରେଡ୍ ବେଳେ ଅଶ୍ୱିନୀଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ଟେରା ହୋଇଥିଲା । ଏକକାଳୀନ ୬ଟି ସ୍ଥାନରେ ହୋଇଥିଲା ଚଢ଼ାଉ । ସମ୍ପତ୍ତି ମଧ୍ୟରେ ରହିଛି ୨୪ଟି ପ୍ଲଟ୍ । କଟକ ବୟାଳିଶୀ ମୌଜା ଶ୍ରୀକ୍ରିଷ୍ଣା ବିହାରରେ ୧କୋଟି ୧୦ ଲକ୍ଷ ଟଙ୍କାର ଦୁଇ ମହଲା କୋଠା ଅଛି । ବୟାଳିଶି ମୌଜାର କଳପଡ଼ାରେ ରହିଛି ତିନି ମହଲା ବିଲଡିଂ । ଯାହାର ଦାମ୍ ୧କୋଟି ୨୨ ଲକ୍ଷ ଟଙ୍କା । ୭୩ଲକ୍ଷ ୯୧ହଜାର ଟଙ୍କାର ବ୍ୟାଙ୍କ ଇନସ୍ୟୁରାନ୍ସ ଅଛି । ୧କିଲୋ ସୁନା ଅଳଙ୍କାର, ୩କିଲୋ ୬୩୨ ଗ୍ରାମ୍ ରୂପା ଅଳଙ୍କାର ଠାବ ହୋଇଛି । ରେଡ୍ ବେଳେ ଘରୁ ନଗଦ ୧ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା ।
ଜୁନିଅର ଆସିଷ୍ଟାଣ୍ଟରୁ ଓଏଏସ୍ ଅଫିସର ହୋଇଛନ୍ତି ଅଶ୍ୱିନୀ ଦାସ । ୧୯୯୫ ମସିହାରେ ଏଗ୍ରିକଲଚର ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବରେ ଯୋଗ ଦେଇଥିଲେ । ପୂର୍ବରୁ ୩ଟି ସ୍ଥାନରେ ସବ-ରେଜିଷ୍ଟ୍ରର ଭାବରେ କାମ କରିଛନ୍ତି ଅଶ୍ୱିନୀ ଦାସ । ଜଟଣୀରେ ଥିଲେ ସବ-ରେଜିଷ୍ଟ୍ରର୍ । କେନ୍ଦ୍ରାପଡ଼ାରେ ବିଡ଼ିଓ ବି ଥିଲେ । ଅସଦ ଉପାୟରେ ବଢ଼ାଇଥିଲେ ସମ୍ପତ୍ତି ।