ପ୍ରଥମ ଥର ପାଇଁ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଯାଉଛି ୪୪ତମ ଚେସ୍ ଅଲିମ୍ପିଆଡ୍, ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଯାଉଛି ୪୪ତମ ଚେସ୍ ଅଲିମ୍ପିଆଡ୍। ଚେସ୍ ଅଲିମ୍ପିଆଡ୍ ଇତିହାସରେ ପ୍ରଥମ ଥର ଲାଗି ଏହି ଚେସ୍ ଅଲିମ୍ପିଆଡ୍ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଚେସ୍ ଅଲିମ୍ପିଆଡ଼ ଅବ୍ୟବହିତ ପୂର୍ବରୁ ଅଲ୍ ଇଣ୍ଡିଆ ଚେସ୍ ଫେଡ଼େରେସନ୍ ପକ୍ଷରୁ ଆଜି ନୂଆଦିଲ୍ଲୀଠାରେ ଟର୍ଚ୍ଚ ରିଲେ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
ସୂଚନାଯୋଗ୍ୟ,ଏହି ଚେସ୍ ଅଲିମ୍ପିଆଡ୍କୁ ଆୟୋଜନ କରିବା ପାଇଁ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ପକ୍ଷରୁ ୧୦ଜଣିଆ ସଦସ୍ୟ ବିଶିଷ୍ଟ ଏକ ସର୍ବୋଚ୍ଚ କମିଟି ଗଠନ କରାଯାଇଛି। ଏହି ସର୍ବୋଚ୍ଚ କମିଟିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସଦସ୍ୟ ଭାବେ ନିଆଯାଇଛି। ଗତ ୧୫ ବର୍ଷ ଧରି ଚେସ୍ର ବିକାଶ କ୍ଷେତ୍ରରେ କିଟ୍ ଓ କିସ୍ର ଯୋଗଦାନ ଓ ଶ୍ରୀ ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ଏହି କମିଟିରେ ସଦସ୍ୟ ଭାବେ ନିଆଯାଇଛି। ଚେସ୍ ଅଲିମ୍ପିଆଡ୍ ଆୟୋଜନ ସର୍ବୋଚ୍ଚ କମିଟିର ସଦସ୍ୟ ଭାବେ ଶ୍ରୀ ସାମନ୍ତଙ୍କୁ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିବାରୁ ଶ୍ରୀ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକ, ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍ର ସଭାପତି ଅର୍କାଦି ଦୋର୍କୋଭିଚ୍, ସର୍ବଭାରତୀୟ ଚେସ୍ ସଂଘର ସଭାପତି ଡ. ସଞ୍ଜୟ କପୁର ପ୍ରମୁଖ ଉପସ୍ଥିତ ଥିବା ବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଓଡ଼ିଶା ଚେସ୍ ସଂଘର ସମସ୍ତ କର୍ମକର୍ତା ମଧ୍ୟ ଉପସ୍ଥିତ ଥିଲେ।