ହାଇକୋର୍ଟରେ ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲା: ପ୍ରୋଜେକ୍ଟ ସମ୍ପର୍କୀତ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବାକୁ ନିର୍ଦ୍ଦେଶ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ହାଇକୋର୍ଟରେ ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲାରେ ପ୍ରୋଜେକ୍ଟ ସମ୍ପର୍କୀତ ସବିଶେଷ ତଥ୍ୟ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଏକ ସପ୍ତାହ ମଧ୍ୟରେ ଏହି ସତ୍ୟପାଠ ଦାଖଲ କରିବା ସହ ଆବେଦନକାରୀଙ୍କୁ ସତ୍ୟପାଠର କପି ପ୍ରଦାନ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୧୯ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। କଟକର ର ଐତିହାସିକ ଚଣ୍ଡିମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା କଲେଜର ପ୍ରାୟ ୩୦୦୦ ବର୍ଗ ଫୁଟ ଜମି କୁ ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟ ର ଛାତ୍ରୀମାନଙ୍କ ପାଇଁ ଖେଳ ପଡିଆ ରହିଛି।ଏହାକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରିବା ବେଆଇନ ବୋଲି ଦର୍ଶାଇ ଏହି ମାମଲା ରୁଜୁ କରାଯାଇଥିଲା। ଏହି ଜମି ମଧୁସୂଦନ ଦାସଙ୍କ କନ୍ୟା ରାଜ୍ୟରେ ନାରୀ ଶିକ୍ଷା ପାଇଁ ମହିଳା କଲେଜକୁ ପ୍ରଦାନ କରିଥିଲେ ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି। ଶିକ୍ଷାନୁଷ୍ଠାନ ଭଳି ଏକ ଅନୁଷ୍ଠାନର ଜମିକୁ ଏକ ନିର୍ଦିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନ ର ବିରୋଧାଚରଣ କରୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଅନ୍ୟପଟେ ଏହି ଜମି ମଧୁସୂଦନ ଦାସଙ୍କ ଜମି ନୁହେଁ ତାହା ସରକାରୀ ଜମି ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ ସରକାରୀ ଓକିଲ।

ଚଣ୍ଡୀ ମନ୍ଦିରର ଉନ୍ନତି କରଣ ପାଇଁ ସବୁକିଛି ଆଇନ ଅନୁଯାୟୀ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ସମସ୍ତ ତଥ୍ୟ ସତ୍ୟପାଠ ଆକାରରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିରର ଉନ୍ନତିକରଣ କାର୍ଯ୍ୟରେ ରହିତାଦେଶ ଜାରି କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ମଧ୍ୟ କୌଣସି ପ୍ରକାର ରହିତାଦେଶ ଦେବାକୁ ମନା କରି ଦେଇଥିଲେ ହାଇକୋର୍ଟ।

Leave A Reply

Your email address will not be published.