ହାଇକୋର୍ଟରେ ଦାଦନ ଶ୍ରମିକଙ୍କ ପ୍ରସଂଗକୁ ନେଇ ଦାୟର ମାମଲାରେ କେନ୍ଦ୍ର ସରକାର ରଖିଲେ ଜବାବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ହାଇକୋର୍ଟରେ ଦାଦନ ଶ୍ରମିକଙ୍କ ପ୍ରସଂଗକୁ ନେଇ ଦାୟର ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଗତ ଏପ୍ରିଲ ୭ରେ ଇ-ଫାଇଲିଂ ବ୍ୟବସ୍ଥାରେ ମାମଲାରେ ଜବାବ ଦାଖଲ କରାଯାଇଛି। କିନ୍ତୁ ମାମଲାର ରେକର୍ଡରେ ସତ୍ୟପାଠର କପି ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ରେକର୍ଡଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜବାବର କପି ଆବେଦନକାରୀ ଆଇନଜୀବୀ ମୃଣାଳିନୀ ପାଢୀଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ମାମଲା ସହିତ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ସଂପର୍କିତ ଯାଜ୍ଞସେନୀ ମହାପାତ୍ରଙ୍କ ଆବେଦନର ଶୁଣାଣି ଏକତ୍ର ହେବ ବୋଲି ହାଇକୋର୍ଟ କହିଛନ୍ତି।ଦାଦନ ଶ୍ରମିକଙ୍କ ପ୍ରସଂଗକୁ ନେଇ ଶ୍ରୀମତୀ ମୃଣାଳିନୀ ପାଢୀ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ୨୦୨୦ ଜୁଲାଇ ୩‌୧ରେ ସୁପ୍ରିମକୋର୍ଟ ଦାଦନ ଶ୍ରମିକଙ୍କ ସଂକ୍ରାନ୍ତରେ ପ୍ରଦାନ କରିଥିବା ରାୟ ପ୍ରସଂଗରେ ଆବେଦନକାରୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ଏହି ମାମଲା ରୁଜ୍ଜୁ କରିଛନ୍ତି।

Leave A Reply

Your email address will not be published.