ଓଡ଼ିଶା ଆସି ସମର୍ଥନ ଲୋଡିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସି ସମର୍ଥନ ଲୋଡ଼ିଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ତାଙ୍କୁ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିଥିଲେ । ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିଲେ ଦ୍ରୌପଦୀ ମୁର୍ମୁ। ଭାବପ୍ରବଣ ହୋଇ ନବୀନଙ୍କୁ ରାଖି ବାନ୍ଧିଥିଲି ବୋଲି କହିଥିଲେ । ସମର୍ଥନ ମାଗିବା ଆଗରୁ ନିର୍ବାଚନ ପାଇଁ ସମର୍ଥନ ଦେବା ସହ ବିଦେଶରେ ଥାଇ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ରେ କଥା ହୋଇଥିଲେ ବୋଲି କହିଥିଲେ ଦ୍ରୌପଦୀ ମୁର୍ମୁ। ସେ କହିଥିଲେ ମୁଁ ଗାଁର ଝିଅ, ମନ୍ତ୍ରୀ ଥିଲି ବହୁ କାମ କରିଛି।
ଆହୁରି କାମ ବାକି ଅଛି, ଏବେ ଆପଣଙ୍କ ସହଯୋଗ ଦରକାର । ଦ୍ରୌପଦୀ ମୁର୍ମୁ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହାପରେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଏହାପୂର୍ବରୁ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜେଡି ଓ ବିଜେପିର ବହୁ ନେତା ଓ ସାଂସଦ ତାଙ୍କୁ ସ୍ୱାଗତ ଜଣାଇଥିଲେ । ପାରମ୍ପରିକ ଆଦିବାସୀ ନୃତ୍ୟ ଓ ସଂଗୀତ ମଧ୍ୟରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଦ୍ରୌପଦୀଙ୍କୁ ପାଛୋଟି ଆଣିବାକୁ ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ପ୍ରବଳ ଭିଡ଼ ଦେଖାଯାଇଥିଲା ।