ଢେଙ୍କାନାଳ ଜିଲ୍ଲାରେ ବେଆଇନ ମୋରମ ଖନନ ମାମଲା: ପରିବେଶ କ୍ଷତି ଭରଣା ପାଇଁ ଠିକା କମ୍ପାନୀକୁ ୫୩ ଲକ୍ଷ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ NGT

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଢେ଼ଙ୍କାନାଳ ଜିଲ୍ଲାରେ ବେଆଇନ ମୋରମ ଖନନ ଅଭିଯୋଗ ସଂକ୍ରାନ୍ତ ପ୍ରସଙ୍ଗରେ ଶୁଣାଣି କରି ପରିବେଶ କ୍ଷତି ଭରଣା ନିମନ୍ତେ ସଂପୃକ୍ତ ଠିକା କମ୍ପାନୀକୁ ୫୩ ଲକ୍ଷ ଟଙ୍କା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲର ବିଭିନ୍ନ ଅଞ୍ଚଳରୁ କୁନାଲ କମ୍ପାନୀ ନାମକ ଏକ ଠିକା ସଂସ୍ଥା ବେଆଇନ ମରମ ଖନନ କରୁଥିବା ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଠାରେ ସ୍ଥାନୀୟ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ମାମଲା ରୁଜ୍ଜୁ କରିଥିଲେ । ଜାତୀୟ ରାଜପଥ ୫୩ ସଂପ୍ରସାରଣ କାର୍ଯ୍ୟ ଚାଲିଥିଲାବେଳେ ଏହି ରାସ୍ତା କାର୍ଯ୍ୟରେ ବ୍ୟବହାର ପାଇଁ କୁନାଲ ଷ୍ଟ୍ରକ୍ଚର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ଠିକା ସଂସ୍ଥା ପରଜଙ୍ଗ ଓ କାମାକ୍ଷାନଗର ତହସିଲର ସରକାରୀ ଜମି, ସଂରକ୍ଷିତ ଓ ଅଣ ସଂରକ୍ଷିତ ଜଙ୍ଗଲ କିସମ ଜମିରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରି ଆସୁଥିଲା। ଏ ନେଇ ପ୍ରଶାସନ ଓ ବନ ବିଭାଗ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସ କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

ତେବେ ବେଆଇନ ମୋରମ ଖନନକୁ ନେଇ ୨୦୨୦ ମସିହାରେ ଏନଜିଟିଙ୍କ ଠାରେ ଅଭିଯୋଗ ପରେ ଏନଜିଟି ଏକ ଯୁଗ୍ମ କମିଟି ଗଠନ କରିଥିଲେ। ସେହି କମିଟିରେ ଢେଙ୍କାନାଳ ଜିଲ୍ଲାପାଳ, ବନପାଳ, ଓଡ଼ିଶା ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ରାଜ୍ୟ ପରିବେଶ ସଂଘାତ ପ୍ରାଧୀକାରି(ସିଆ), କାମାକ୍ଷାନଗର ଓ ପରଜଙ୍ଗ ତହସିଲଦାର ସଦସ୍ୟ ରହିଛନ୍ତି। ଏହି କମିଟି ବେଆଇନ ମୋରମ ଉତ୍ତୋଳନ ସ୍ଥାନ ଗୁଡିକ ପରିଦର୍ଶନ କରିବା ସହିତ ପରିବେଶ କ୍ଷତି ଭରଣା ନିମନ୍ତେ ୨୦.୩୦ ଲକ୍ଷ ଟଙ୍କା, ପରଜଙ୍ଗ ତହସିଲ ଅନ୍ତର୍ଗତ ବଡଝରା ଗ୍ରାମର ଖାତା ନମ୍ବର-୧୬୮୪ , ପ୍ଲଟ ନମ୍ବର-୪୭୮ ରୁ ବେଆଇନ ଭାବେ ଜଙ୍ଗଲ ଜମିରୁ ମରମ ଉତ୍ତୋଳନକୁ ନେଇ ୩୧ ଲକ୍ଷ ଟଙ୍କାର କ୍ଷତି ଭରଣା ନିମନ୍ତେ ଆକଳନ କରି ଏନଜିଟିରେ ରିପୋର୍ଟ ଦାଖଲ କରିଛନ୍ତି।

ଏହା ସହିତ ଅଢେଇ ଲକ୍ଷ ଟଙ୍କାର ବୃକ୍ଷ ରୋପଣ କରିବା ପାଇଁ ବନ ବିଭାଗ ନିର୍ଧାରଣ କରିଥିବା ନେଇ ଶୁଣାଣି ସମୟରେ ଉକ୍ତ ଯୁଗ୍ମ କମିଟି ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ପାଖରେ ଦର୍ଶାଇଛନ୍ତି। ଏନଜିଟି ସଂପୃକ୍ତ କଂପାନୀକୁ ପରିବେଶ କ୍ଷତି ଭରଣା ନିମନ୍ତେ ୫୩ ଲକ୍ଷ ଦାଖଲ ନିର୍ଦ୍ଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧ତାରିଖକୁ ଧାର୍ଯ୍ୟ କରିଛନ୍ତି। ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତି।

Leave A Reply

Your email address will not be published.